ହାଇକୋର୍ଟରେ ବମିଖାଲ ଓଭରବ୍ରିଜ ଭୁଶୁଡିବା ମାମଲାର ଶୁଣାଣି

କଟକ : ନିର୍ମାଣଧୀନ ବମିଖାଲ ଓଭରବ୍ରିଜ ଭୁଶୁଡିବା ସଂପର୍କିତ ଦୁଇଟି ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ଆବାହକ ସବ୍ୟସାଚୀ ମହାପାତ୍ର ଓ ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ପୃଥକ ଆବେଦନର ଏକତ୍ର ଶୁଣାଣି କରିଛନ୍ତି।

ଏହି ମାମଲାରେ ପୂର୍ବରୁ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ସରିଥିବାବେଳେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଫୋରମ ପକ୍ଷରୁ ଆଇନଜୀବୀ ତାପସ କୁମାର ଦ୍ୱିବେଦୀ ଓ ସୁନୀଲ ବର୍ମା ଏବଂ ଶ୍ରୀ ପାଣିଗ୍ରାହୀଙ୍କ ତରଫରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ୨୦୧୭, ସେପ୍ଟେମ୍ବର ୧୦ରେ ବମିଖାଲ ରେଳ ଓଭରବ୍ରିଜର ଗୋଟିଏ ସ୍ଲାବ ଭୁଶୁଡି ପଡି ଧନଜୀବନ ହାନି ହେବା ପରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଦର୍ଶାଯାଇଥିଲା ଯେ ଏହି ଘଟଣାର କାରଣ ଖୋଜି ବାହାର କରିବା ପାଇଁ ଦୁଇ ଜଣ ମୁଖ୍ୟ ଯନ୍ତ୍ରୀଙ୍କୁ ନେଇ ଗଠିତ କମିଟି ୨୦୧୭, ସେପ୍ଟେମ୍ବର ୨୬ରେ ତଦନ୍ତ ରିପୋର୍ଟ ପୂର୍ତ୍ତ ବିଭାଗରେ ଦାଖଲ କରିଥିଲେ। ସହକାରୀ ଇଂଜିନିୟର, ଡେପିଟି ଇଂଜିନିୟର ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପୁଣି ନିର୍ମାଣଧୀନ ବମିଖାଲ ଓଭରବ୍ରିଜ ଭୁଶୁଡି ଥିଲା।

ସମ୍ବନ୍ଧିତ ଖବର