ଭାଗଚାଷୀଙ୍କୁ କ୍ଷତିପୂରଣ ନେଇ ସରକାରଙ୍କୁ ହାଇକୋର୍ଟ ନୋଟିସ୍‌

କଟକ : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜମିର ପ୍ରକୃତ ମାଲିକଙ୍କୁ ଆକଳନ କରି କ୍ଷତିପୂରଣ ଦେବା ନେଇ ସରକାରଙ୍କ ନିୟମ ରହିଛି। କିନ୍ତୁ ଏପରି ନିୟମ ପାଳନ ନ କରି ଜମିର ଭାଗଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ଅନ୍ୟ କେତେକ ଜିଲ୍ଲାର ଜିଲ୍ଲାପାଳ ସରକାରଙ୍କ ନିର୍ଦ୍ଦେଶରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ସରୋଜିନୀ ପଣ୍ଡା ଓ ସୁରଭି କୁମାରୀ ଦେବୀଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ, ରାଜସ୍ୱ ସଚିବ, କୃଷି ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଦାୟର ଆବେଦନରେ ଦର୍ଶାଯାଇଛି ଯେ ବର୍ଷା, ବନ୍ୟା ଭଳି ପ୍ରକୃତିକ ବିପର୍ଯ୍ୟୟ ତଥା ଚକଡା ପୋକ ଆକ୍ରମଣ ଯୋଗୁ ଅନେକ ସମୟରେ ଚାଷରେ କ୍ଷତି ହେଉଛି। ଜମି ମାଲିକ ଋଣ କରି ଓ ବିଭିନ୍ନ ସୂତ୍ରରୁ ଅର୍ଥ ଯୋଗାଡ କରି ଚାଷ ପାଇଁ ଅର୍ଥ ଖର୍ଚ୍ଚ କରିଥାଏ। ସରକାରୀ ନିୟମ ଅନୁସାରେ ଚାଷରେ କ୍ଷତି ହେଲେ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ଜମି ମାଲିକଙ୍କ କ୍ଷତିକୁ ଅଣଦେଖା କରି ଭାଗଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର