ସାଂସଦ ରାମଚନ୍ଦ୍ର ହାଁସଦା ପୁଣି ନିରାଶ

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍‌ ଲିମିଟେଡ୍‌ ଚିଟଫଣ୍ଡ ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ପୁଣି ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ୧୮ରେ ଶ୍ରୀ ହାଁସଦାଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ମାମଲାର ରାୟ ପ୍ରକାଶ ପାଇଛି। ପଞ୍ଚମ ଥର ପାଇଁ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି।

ଗତଥର ୨୦୧୭, ଜୁଲାଇ ୩୧ରେ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିଥିବାବେଳେ ପରିବର୍ତ୍ତିତ ପରିସ୍ଥିତିରେ ସେ ସାନି ଆବେଦନ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସାନି ଜାମିନ ଆବେଦନ କରାଯାଇଥିବାବେଳେ ଏଥର ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ସିବିଆଇ ଦାଖଲ କରିଥିବା ଅତିରିକ୍ତ ଚାର୍ଜସିଟରେ ୫ ଜଣ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ରହିଥିବାବେଳେ ଏହି ସାକ୍ଷୀମାନଙ୍କ ସହିତ ପୂର୍ବ ତାଲିକାର ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ତ୍ୱରିତ ପଦକ୍ଷେପ ନେବାଲାଗି ଖଣ୍ଡପୀଠ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସାକ୍ଷୀମାନଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆବେଦନକାରୀ ସାନି ଜାମିନ ଆବେଦନ ଦାୟର କରି ପାରିବେ ବୋଲି ପ୍ରକାଶିତ ରାୟରେ ଉଳ୍ଲେଖ କରାଯାଇଛି। ଜାମିନ ଆବେଦନର ଶୁଣାଣି ସମୟରେ ଶ୍ରୀ ହାଁସଦାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଭୁବନେଶ୍ୱରସ୍ଥିତ ସ୍ପେଶାଲ ଜଜ୍‌, ସିବିଆଇ କୋର୍ଟ ନମ୍ବର-୧ରେ ୨୦୧୬ରୁ ବିଚାରପତି ପଦରେ କାହାକୁ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ।

ଅନ୍ୟପକ୍ଷରେ ୨୦୧୭, ଡିସେମ୍ବର ୨୯ରେ ସିବିଆଇ ଆବେଦନକାରୀଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଥିଲା। କିନ୍ତୁ ମାମଲାର ଶୁଣାଣିରେ ଅଗ୍ରଗତି ହୋଇ ପାରିନାହିଁ। ଏପରି ପରିସ୍ଥିତିରେ ଯଦି ୪ ସପ୍ତାହ ଭିତରେ ମାମଲା ବିଚାରାଧୀନ ଥିବା ଅଦାଲତରେ ବିଚାରପତିଙ୍କୁ ନିଯୁକ୍ତି ଦିଆ ନ ଯାଏ ତେବେ ଆବେଦନକାରୀ ଚାହିଁଲେ ମାମଲା ଅନ୍ୟ ସିବିଆଇ ସ୍ପେଶାଲ ଜଜ୍‌ ଅଦାଲତକୁ ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ। ମାମଲାର ବିବରଣୀରୁ ପ୍ରକାଶ ଯେ ନବଦିଗନ୍ତ ଗ୍ରୁପ୍‌ ଅଫ୍‌ କମ୍ପାନିଜ ସହିତ ଜଡିତ ଥିବା ଶ୍ରୀ ହାଁସଦାଙ୍କୁ ସିବିଆଇ ୨୦୧୪, ନଭେମ୍ବର ୪ରେ ଗିରଫ କରିଥିଲା। ତାଙ୍କ ସହିତ ନବଦିଗନ୍ତର ପ୍ରମୁଖ ଅଧିକାରୀ ଏବଂ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତିଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା। ୨୦୧୫, ଫେବ୍ରୁଆରି ୧୯ରେ ଉପରୋକ୍ତ ୩ ଜଣଙ୍କ ସହିତ ନବଦିଗନ୍ତ ସିଏମଡି ଅଞ୍ଜନ କୁମାର ବଳିୟାରସିଂ, ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକ, କାର୍ତ୍ତିକେୟ ପରିଡ଼ାଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ସିବିଆଇ ପକ୍ଷରୁ କାଳୀଚରଣ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର