ସ୍ୟାଟ୍‌ ପ୍ରସଂଗରେ କଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ)ର ଭବିଷ୍ୟତ ତଥା ଖାଲି ପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଅବଗତ କରିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍‌.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ଓଏଟି ବାର୍‌ ଆସୋସିଏସନ୍‌ ଓ ଭୁବନେଶ୍ୱର ଓଏଟି ବାର୍‌ ଆସୋସିଏସନ୍‌ ପକ୍ଷରୁ ରୁଜୁ ପୃଥକ ମାମଲାର ଏକତ୍ର ଶୁଣାଣି କରି ମେ’ ୩ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାମଲାର ଶୁଣାଣି ସମୟରେ ଗତ ନଭେମ୍ବରରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ଗତ ୧୨ ତାରିଖରେ ମାମଲାର ଶୁଣାଣି ସମୟରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦାଖଲ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ସ୍ୟାଟ୍‌ରେ ଖାଲି ପଡିଥିବା ସଦସ୍ୟ ପଦ ଓ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି ସଂପର୍କିତ ପ୍ରସ୍ତାବ ସହିତ ସ୍ୟାଟ୍‌ ଉଚ୍ଛେଦ ସଂକ୍ରାନ୍ତୀୟ ପ୍ରସଂଗ ଏବେ କେନ୍ଦ୍ର ସରକାରଙ୍କ ପର୍ସୋନେଲ, ପବ୍ଲିକ୍‌ ଗ୍ରିଭାନସେସ୍‌ ଆଣ୍ଡ୍‌ ପେନସନ୍ସ ମନ୍ତ୍ରଣାଳୟ ନିକଟରେ ବିଚରାଧୀନ ରହିଛି। ଏପରି ପରିସ୍ଥିତିରେ ସତ୍ୟପାଠ ମାଧ୍ୟମରେ ସାନି ସ୍ଥିତି ସଂପର୍କରେ ସ୍ପଷ୍ଟ କରିବା ପାଇଁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର, ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର