ଏଲଇଡି ସ୍କି୍ରନ୍‌ ଜରିଆରେ ରୋଗୀଙ୍କୁ ମିଳିବ ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା: ପ୍ରତାପ ଜେନା

ମିନେରାଲ ପାଣି ଓ ତେଲର ଯାଞ୍ଚ ନିର୍ଦେଶ

ଭୁବନେଶ୍ୱର: ବଜାରରେ ମିଳୁଥିବା ଖାଇବା ତେଲ, ଘିଅ ଓ ପିଇବା ପାଣିର ଯାଞ୍ଚ କରାଯିବ। ଭେଜାଲ କାରଖାନା ଉପରେ ଧରପଗଡ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନିର୍ଦେଶ ଦେଇଛନ୍ତି। ଆଜି ରାଜ୍ୟରେ ସ୍ୱାସ୍ଥ୍ୟସେବା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବାରେ କିପରି ଅଧିକ ଉନ୍ନତି ଅଣାଯାଇ ପାରିବ ତାହା ଉପରେ ଆଲୋଚନା ହୋଇଥିଲା। ସବୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ସେମାନଙ୍କ ସହାୟକମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏଲଇଡି ସ୍କ୍ରିନ୍‌ ଜରିଆରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କିତ ସମସ୍ତ ସୂଚନା ପ୍ରଦର୍ଶିତ ହେବ। ମେଡିକାଲ କଲେଜରେ ଦୁଇଟି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଲେଖାଏଁ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା କରାଯିବ। ସେହିପରି ବଜାରରେ ମିଳୁଥିବା ଖାଇବା ତେଲ, ମିନେରାଲ ପାଣି, ଘିଅକୁ ନିୟମିତ ଯାଞ୍ଚ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଅଧିକାରୀମାନେ ଭେଜାଲ କାରଖାନା ଉପରେ ଧରପଗଡ଼ କରିବେ। ଯଦି ନିଜ ଅଞ୍ଚଳରେ ଅଧିକାରୀମାନେ ନିଜ କର୍ତବ୍ୟର ଠିକ୍‌ ଭାବେ ପାଳନ ନ କରନ୍ତି ତେବେ ଏଥିପାଇଁ ସେମାନେ ଉତ୍ତରଦାୟୀ ରହିବେ ବୋଲି ଶ୍ରୀ ଜେନା ସତର୍କ କରି ଦେଇଛନ୍ତି। ଏହା ବ୍ୟତୀତ ରୋଗୀମାନେ ମାଗଣାରେ ନିରାମୟ ଯୋଜନାରେ ଯେପରି ସବୁପ୍ରକାର ଔଷଧ ପାଇପାରିବେ ସେ ଦିଗରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ଵିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ବିଭାଗର ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ଜିଲ୍ଲା ଗସ୍ତକରି ତଦାରଖ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ଔଷଧ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦ, ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଡା.କୈଳାସ ଚନ୍ଦ୍ର ଦାଶ ଓ ଅତିରିକ୍ତ ଶାସନ ସଚିବ ସୁରଜିତ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର