କାମ ଦେଲାନି ସ୍ବାସ୍ଥ୍ୟକାର୍ଡ : ମେଡିକାଲରୁ ଫେରି ଆଖି ବୁଜିଲେ ବୃଦ୍ଧ

ରାଜନଗର : ସ୍ବାସ୍ଥ୍ୟକାର୍ଡ କାମ ନଦେବାରୁ ଜଣେ ରୋଗୀ ପ୍ରାଣ ହରାଇଛନ୍ତି। ଏହିଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗରର ଏହି ମୃତକଙ୍କ ପରିବାର।

ଅଭିଯୋଗ ଅନୁସାରେ, ରାଜନଗର ଗାଁର ଦେବନାରାୟଣ ଲେଙ୍କା(୬୨) ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତ ୧୭ ତାରିଖରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ୧୭ରୁ ୧୯ତାରିଖ ଯାଏ ୩ଦିନ ଧରି ସେ ସେଠାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ଚା’ ବିକି ପରିବାର ପ୍ରତିପୋଷଣ କରୁଥିବା ଦେବଙ୍କ ଭାଇ ଧ୍ରୁବ ଧାରକରଜ କରି ୨୦ ହଜାର ଟଙ୍କା ନେଇ ମେଡିକାଲ ଯାଇଥିଲେ। ତାଙ୍କ ନାଁରେ ଥିବା ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବାର ବ୍ୟବସ୍ଥା ଥିବାରୁ କାର୍ଡ‌୍ ଦ୍ବାରା ସେ ଚିକିତ୍ସିତ ହୋଇପାରିବେ ବୋଲି ଆଶା ରଖିଥିଲେ। ହେଲେ, କଟକରେ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଔଷଧ ଓ ଇ˚ଜେକ୍ସନ ବାହାରୁ ଆଣିବା ପାଇଁ ଲେଖିଥିଲେ। ଡାକ୍ତରୀ ପ୍ରେସକ୍ରିପସନ ଓ ସ୍ବାସ୍ଥ୍ୟକାର୍ଡ ସହ ଧ୍ରୁବ ଦେବଙ୍କୁ ଧରି ମେଡିକାଲ କଲେଜ ପରିସରରେ ଥିବା ସ୍ବାସ୍ଥ୍ୟବୀମା କାଉଣ୍ଟରରେ ପହଞ୍ଚିଥିଲେ। ଆଙ୍ଗୁଠି ଛାପ ମିଳୁନି କହି ତାଙ୍କୁ ସେଠାରୁ ଫେରାଇ ଦିଆଯାଇଥିଲା।

ଦେବଙ୍କ ନାଁରେ ଥିବା ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡରେ ତାଙ୍କର ୩ ଭଉଣୀ ଓ ମା’ଙ୍କ ନାଁ ଥିଲା। ମା’ ମୃତ୍ୟୁବରଣ କରିଥିବାରୁ ବିବାହିତ ଉଉଣୀ ମେଡିକାଲରେ ପହଞ୍ଚିଥିଲେ। ଡାକ୍ତରଙ୍କ ପ୍ରେସକ୍ରିପସନ ସହିତ ଭଉଣୀ ସେଠାରେ ପହଞ୍ଚି ଆଙ୍ଗୁଠି ଛାପ ଦେଇଥିଲେ। ତାଙ୍କର ବି ଆଙ୍ଗୁଠି ଛାପ ମିଳିନଥିଲା। ଫଳରେ, କାର୍ଡରେ କୌଣସି ଔଷଧ କିମ୍ବା ଇ˚ଜେକ୍ସନ କିଣିବାକୁ ସୁବିଧା ମିଳିବନି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ସଫାସଫା କହିଥିଲେ।

ଏଣେ, ଧାର କରଜ କରି ନେଇଥିବା ୨୦ ହଜାର ଟଙ୍କା ୩ ଦିନରେ ସରିଯାଇଥିଲା। ଟଙ୍କା ସରିଯିବା ପରେ ରୋଗୀଙ୍କୁ ଡିସଚାର୍ଜ କରିଦେବା ପାଇଁ ପରିବାର ଲୋକେ ଡାକ୍ତରଙ୍କୁ କହିଥିଲେ। ଡାକ୍ତର ତାଙ୍କୁ ୧୯ ତାରିଖ ସ˚ଧୢାରେ ଡିସଚାର୍ଜ କରିଦେଇଥିଲେ। ଘରୋଇ ଆମ୍ବୁଲାନ୍ସ ଯୋଗେ ଗତକାଲି ରାତି ୧୧ଟାରେ ଦେବ ଗାଁରେ ପହଞ୍ଚିଥିଲେ ଓ ରାତି ପ୍ରାୟ ୧ଟା ୫୦ରେ ସେ ଆଖି ବୁଜି ଦେଇଥିଲେ।

ସ୍ବାସ୍ଥ୍ୟକାର୍ଡ କାମ ନଦେବାରୁ ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଲା ବୋଲି ଧ୍ରୁବ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର