ବାତ୍ୟାରେ ସ୍ବାସ୍ଥ୍ୟ ବିଭାଗର କ୍ଷୟକ୍ଷତି, ୩ ତାରିଖରେ ରିପୋର୍ଟ ଦେବେ ଅନ୍ତର୍ଜାତୀୟ ପ୍ରତିନିଧି ଦଳ

ଭୁବନେଶ୍ବର : ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିଶ୍ବ ବ୍ୟାଙ୍କ ଓ ୟୁନିସେଫର ପ୍ରତିନିଧି ଦଳ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୩ ତାରିଖରେ ପ୍ରଦାନ କରିବେ। ୬ ଭାଗରେ ବିଭକ୍ତ ହୋଇ ଓଡ଼ିଶାକୁ ଆସିଥିବା ଏହି ପ୍ରତିନିଧି ଦଳ ଚଳିତ ମାସ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି।

ଏହି ପ୍ରତିନିଧି ଦଳ ଆଜି ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡା. ରିତୁ ସିଂହ ଚୌହାନ ଓ ଡା. ଅବନୀନ୍ଦ୍ରନାଥ ସାହୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ ବ୍ଲକ୍‌ ଗସ୍ତରେ ଯିବେ। ସେହିପରି ଡା. ଗୌରବ ଗୁପ୍ତା ଓ ଡା.ଏସ୍‌ ସାହୁଙ୍କୁ ନେଇ ଗଠିତ ଅନ୍ୟ ଏକ ଦଳ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କ୍ୟାପିଟାଲ ହସ୍ପିଟାଲ ଓ କଟକର ସିଟି ହସ୍ପିଟାଲ ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିବେ। ୟୁନିସେଫର ଡା. ବ୍ରଜେଶ ରାଜ ମିତ୍ର, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡା. ଦୀପକ କୁମାର କର ଓ ଡା.ଜ୍ଞାନ ଚାନ୍ଦଙ୍କୁ ନେଇ ଗଠିତ ଦଳ ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବାକୁ ଥିବା ବେଳେ ବିଶ୍ବ ବ୍ୟାଙ୍କର ଡା. ସୁରେଶ କୁମାର ମହମ୍ମଦ ଓ ୟୁନିସେଫର ଡା. ଦୀପକ କୁମାର ବିଶ୍ବାଳଙ୍କୁ ନେଇ ଗଠିତ ଦଳ ଜଗତସିଂହପୁର, କେନ୍ଦ୍ରାପଡ଼ାର ବିଭିନ୍ନ ସ୍ବାସ୍ଥ୍ୟାନୁଷ୍ଠାନ ପରିଦର୍ଶନ ସହ କ୍ଷୟକ୍ଷତିର ଆକଳନ କରିବେ। ଆଲୋଚନା ସମୟରେ ବିଭାଗ ପକ୍ଷରୁ କ୍ଷୟକ୍ଷତି ସଂକ୍ରାନ୍ତରେ କରାଯାଇଥିବା ଆକଳନ ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଥିଲା। ଏହାସହ ବାତ୍ୟା ପୂର୍ବରୁ ଓ ପରେ ବିଭାଗ ପକ୍ଷରୁ ଜାରି ରହିଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ପ୍ରଦାନ କରାଯାଇଥିବା ସୂଚନା ମଧ୍ୟରେ ବାତ୍ୟା ପୂର୍ବରୁ ସତର୍କତା ପଦକ୍ଷେପ ସ୍ବରୂପ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ନିରବଚ୍ଛିନ୍ନ ବିଜୁଳି ବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଉଚ୍ଚ କ୍ଷମତାସଂପନ୍ନ ଜେନେରେଟର ସେଟ୍ ଯୋଗାଇ ଦିଆଯାଇଥିଲା। ଡାକ୍ତରମାନଙ୍କ ଛୁଟି ବାତିଲ କରି ସେମାନଙ୍କୁ ବାତ୍ୟାଞ୍ଚଳରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଥିଲା ପ୍ରଭୃତି ସାମିଲ ରହିଛି।

ଏହି ଆଲୋଚନାରେ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ବିଭାଗର ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା ଓ ଡା. ଲିଙ୍ଗରାଜ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର