ସାମିଲ ହେଲା ୨୬ ନୂଆ ୧୦୮ ଆମ୍ବୁଲାନ୍‌ସ

ଭୁବନେଶ୍ୱର : ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ସେବାରେ ଯୋଡ଼ି ହୋଇଛି ୨୬ଟି ନୂଆ ଆମ୍ବୁଲାନ୍‌ସ। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆଜି ରାଜ୍ୟ ପରିବହନ ଭବନଠାରେ ଏହି ଆମ୍ବୁଲାନ୍‌ସ ସେବାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଜେନା କହିଲେ, ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଜରୁରୀକାଳୀନ ସେବାକୁ ନଜରରେ ରଖି ରାଜ୍ୟ ସରକାର ଅତିରିକ୍ତ ୯୨ଟି ୧୦୮ ଆମ୍ବୁଲାନ୍‌ସର ବ୍ୟବସ୍ଥା କରିଛନ୍ତି। ଗତବର୍ଷ ଡିସେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ୯୨ଟି ଆମ୍ବୁଲାନ୍‌ସକୁ ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ। ପୂର୍ବରୁ ୨୪ଟି ଆମ୍ବୁଲାନ୍‌ସ ଲୋକାର୍ପିତ ହୋଇଥିବା ବେଳେ ଆଜି ୨୬ଟି ୧୦୮ ଆମ୍ବୁଲାନ୍‌ସ ଏଥିରେ ଯୋଡ଼ି ହୋଇଛି। ଆଗାମୀ ଦିନରେ ବାକି ୪୨ଟି ଆମ୍ବୁଲାନ୍‌ସ ସ୍ୱାସ୍ଥ୍ୟସେବାରେ ସାମିଲ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରୁ ରାଜ୍ୟରେ ୧୦୮ ମାଗଣା ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଛି। ଏବେ ସୁଦ୍ଧା ୪୪୪ଟି ୧୦୮ ଆମ୍ବୁଲାନ୍‌ସ ରାଜ୍ୟର ୩୦ଟି ଜିଲ୍ଲାରେ ସେବା ଯୋଗାଇ ଦେଉଛନ୍ତି। ୪୪୪ଟି ଆମ୍ବୁଲାନ୍‌ସ ମଧ୍ୟରୁ ୩୮୮ଟି ମୌଳିକ ଜୀବନରକ୍ଷା ସେବା ବିଏଲ୍‌ଏସ୍‌ ଓ ୫୬ଟି ଉନ୍ନତ ଜୀବନରକ୍ଷା ସେବା ବା ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ରହିଛି। ୧୦୮ ଆମ୍ବୁଲାନ୍‌ସ ସହ ଗର୍ଭବତୀ ମା’ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ପାଇଁ ୫ଶହଟି ୧୦୨ ଆମ୍ବୁଲାନ୍‌ସର ବ୍ୟବସ୍ଥା ରହିଛି। ଏ ପର୍ଯ୍ୟନ୍ତ ରାଜ୍ୟର ୩୫ଲକ୍ଷରୁ ଅଧିକ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଥିବା ବେଳେ ମା’ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଆମ୍ବୁଲାନ୍‌ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୮ଟି ବିଏଲ୍‌ଏସ୍‌ ଆମ୍ବୁଲାନ୍‌ସକୁ ଏଏଲ୍‌ଏସ୍‌କୁ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୯୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ନିର୍ଦେଶିକା ଅର୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର