ବହିର୍ବିଭାଗ ସ୍ବାସ୍ଥ୍ୟସେବାରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର : ବହିର୍ବିଭାଗ ସ୍ବାସ୍ଥ୍ୟ ସେବା ବା ଓପିଡିରେ ଉନ୍ନତମାନର ସେବା ପ୍ରଦାନ ପାଇଁ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ପୁରସ୍କାର ସହ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ଓମ୍‌ସାର ସଭାପତି ଡା.ନିରାକାର ଭଟ୍ଟ ଓ ଓମ୍‌ଟାର ସଭାପତି ବିପିନ ବିହାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟରେ ନିଦାନ, ନିରାମୟ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଦ୍ବାରା ସାଧାରଣ ଲୋକମାନେ ଘରୋଇ ଚିକିତ୍ସାଳୟ ଅପେକ୍ଷା ସରକାରୀ ଚିକିତ୍ସା ସେବା ଉପରେ ଆସ୍ଥା ପ୍ରକଟ କରୁଛନ୍ତି। ଜିଲ୍ଲାଗୁଡ଼ିକରେ ମେଡିକାଲ କଲେଜ ଖୋଲିବା ଦ୍ବାରା ବହିର୍ବିଭାଗରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପ୍ରତିଷ୍ଠା ପରେ କୋରାପୁଟରେ ବହିର୍ବିଭାଗରେ ରୋଗୀଙ୍କ ସଂଖ୍ୟା ଦୈନିକ ୨ଶହରୁ ୮ଶହକୁ ବୃଦ୍ଧି ପାଇଥିବା ଅତିଥିମାନେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନର୍ସିଂ ସଂଘର ସାଧାରଣ ସଂପାଦିକା ପ୍ରଭାତୀ ମହାନ୍ତି, କଟକ ଜିଲ୍ଲାର ଆଶା କର୍ମୀ ପ୍ରତିମା ସାମଲ, ଭୁବନେଶ୍ବରର ନଳିନୀ ସାହୁ ଓ ବାଲିଅନ୍ତା ନମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର