ଅସୁସ୍ଥ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ

କଟକ : ଗଲା ୬ ମାସରୁ ଅଧିକ ଦିନ ହେଲା କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଏସ୍‌ସିବି ମେଡିକାଲ୍‌ କର୍ମଚାରୀ ସଂଘର ହୀରକ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜେନା ଯୋଗଦେବାକୁ ଆସିଥିବା ବେଳେ ସେଠାରୁ ଦିନ ପ୍ରାୟ ଗୋଟାଏ ପାଖାପାଖି ସମୟରେ ସେ ସିଧାସଳଖ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ। ସିଏମ୍‌ସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ତଥା କର୍ପୋରେଟର ରଂଜନ ବିଶ୍ୱାଳଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାୟକଙ୍କ କ୍ୟାବିନ୍‌ ଭିତରକୁ ଯାଇ ସେଠାରେ ପ୍ରାୟ ଅଧ ଘଣ୍ଟା ବିତାଇଥିଲେ। ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବା ସହ ତାଙ୍କର ଚିକିତ୍ସାରେ ଯେପରି ତ୍ରୁଟି ନହୁଏ ସେଥିପ୍ରତି ଯତ୍ନବାନ୍‌ ହେବାକୁ ଉପସ୍ଥିତ ଡାକ୍ତରମାନଙ୍କୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ତେବେ ଆଲୋଚନା ସମୟରେ ଉଭୟ ବିଧାୟକ ପ୍ରଭାତ ବିଶ୍ୱାଳ ଓ ମନ୍ତ୍ରୀ ପ୍ରତାପ ଜେନା ଭାବବିହ୍ଵଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀଙ୍କ କାନ୍ଧକୁ ଥାପୁଡ଼ାଇ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ ଯେ, ‘ମୋତେ ସମସ୍ତେ ଏକୁଟିଆ କରିଦେଲ। କେହି ଦେଖିବାକୁ ଆସିଲନି। ବହୁତ କଷ୍ଟ ସହିଲିଣି। ପେଟରେ ଟ୍ୟୁମର ହୋଇଯାଇଥିଲା। ଏବେ ମେଡିସିନ୍‌ ଖାଇଲା ପରେ ଦେହ ଭଲ ଲାଗୁଛି। ଡାକ୍ତର ନିୟମିତ ଆସି ମୋତେ ଦେଖୁଥିବାରୁ ଭଲ ହୋଇଯିବି ଭାବୁଛି।’ ତେବେ ନ୍ୟାୟର ଜୟ ହେବ ବୋଲି ସେ ବାରମ୍ବାର କହୁଥିଲେ। ମନ୍ତ୍ରୀ ଶ୍ରୀ ଜେନା ପ୍ରଭାତଙ୍କ ଛାତି ଆଉଁଶି ଦେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଥିଲେ। ଏହି ସାକ୍ଷାତକାର ବେଳେ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ପ୍ରକାଶ ମହାପାତ୍ର, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଏସ୍‌ସିବି ମେଡିକାଲ୍‌ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, ଅଧୀକ୍ଷକ ପ୍ରଫେସର ଡାକ୍ତର ପି.କେ. ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅପରାହ୍ନରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ କଟକ ବଡ଼ ମେଡିକାଲକୁ ଯାଇ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ସୂଚନା ଯୋଗ୍ୟ ,ଚିଟ୍‌ଫଣ୍ଡ ମାମଲାରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଥିଲେ ବି ସେ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର