ଗରିବଙ୍କ ପେଟରେ ଲାତ ମାରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ସ୍ୱାସ୍ଥ୍ୟ ଯୋଜନାକୁ ନେଇ ରାଜନୀତି

ଭୁବନେଶ୍ୱର : ‘ଆୟୁଷ୍ମାନ’ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ରାଜ୍ୟ ସରକାର ମନା କଲା ପରେ ତାହାକୁ ନେଇ ରାଜନୀତି ଜୋର୍‌ ଧରିଛି। କେନ୍ଦ୍ର ପଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, ରାଜନୈତିକ କାରଣ ପାଇଁ ଅନ୍ୟ ଦଳକୁ ସମାଲୋଚନା କରାଯାଏ। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବଙ୍କ ପେଟରେ ଲାତ ମାରିବାର ହକ୍‌ ମୁଖ୍ୟମନ୍ତ୍ରୀଙ୍କର ନାହିଁ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ‘ଆୟୁଷ୍ମାନ’ ଯୋଜନା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସେବା ଭାବେ ଗଣାଯାଉଛି। କିନ୍ତୁ ଓଡ଼ିଶା ସରକାରଙ୍କୁ ଏହା ଭଲ ଲାଗୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ଓ ଦାୟିତ୍ୱକୁ ବାଧା ପହଞ୍ଚାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକମାତ୍ର କାମ ହୋଇଯାଇଛି। ଆୟୁଷ୍ମାନ ଯୋଜନାରୁ ଓଡ଼ିଶା ପରି ରାଜ୍ୟ ଅଧିକ ଲାଭ ପାଇଥା’ନ୍ତେ। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ସେଥିରେ ବାଧା ପହଞ୍ଚାଉଛନ୍ତି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେଉଁ ଆଧାରରେ ୭୦ ଲକ୍ଷ ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇଦେବେ ବୋଲି ପ୍ରଶ୍ନ କରି ଶ୍ରୀ ପ୍ରଧାନ କହିଛନ୍ତି, ବର୍ତ୍ତମାନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ମିଶାଇଲେ ଓଡ଼ିଶାର ୭୭ରୁ ୮୦ ଲକ୍ଷ ପରିବାର ସ୍ୱାସ୍ଥ୍ୟ ବୀମାଭୁକ୍ତ। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସ୍‌ଇସିସି-୨୦୧୧ର ତଥ୍ୟ ଅନୁଯାୟୀ ଭାରତ ସରକାର ଓଡ଼ିଶାର ୬୧ ଲକ୍ଷ ପରିବାରଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ୍‌ କରିବାକୁ ସ୍ଥିର କଲେ। ଅପର ପକ୍ଷରେ ବର୍ତ୍ତମାନ ରାଜ୍ୟ ସରକାର କହୁଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୭୦ ଲକ୍ଷ ପରିବାରଙ୍କୁ ସାମିଲ୍‌ କରିବେ। ଏହି ସଂଖ୍ୟା ଓଡ଼ିଶା ସରକାର କେଉଁଠୁ ଆଣିଲେ? ଜାତୀୟ ଖାଦ୍ୟ ସୁରକ୍ଷା ମିସନ୍‌ କାର୍ଯ୍ୟକାରୀ ବେେଳେ ଅନେକ ଅନିୟମିତତା କରାଯାଇଥିଲା।  ‘ଇନ୍‌ସୁରାନ୍‌ସ୍‌’ ଓ ‘ଆସୁରାନ୍‌ସ୍‌’ ନେଇ ରାଜ୍ୟ ସରକାର କାଳ୍ପନିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ବୋଲି ଆରୋପ ଲଗାଇ କେନ୍ଦ୍ର ମନ୍ତ୍ରୀ କହିଲେ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା କେ ଶ୍ରୀନାଥ ରେଡ୍ଡି ନିଜେ ଆୟୁଷ୍ମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଯୋଜନାକୁ ‘ଇନ୍‌ସୁରାନ୍‌ସ୍‌’ରୁ ‘ଆସୁରାନ୍‌ସ୍‌’ ଆଡ଼କୁ ନେଇଛନ୍ତି ବୋଲି କହିଛନ୍ତି।

ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କଥା ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଲେ, ୨୦୦୯-୧୦ ମସିହାରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ୧୧ ଜଣ ଡାକ୍ତର ଥିଲା ବେଳେ ୨୦୧୪-୧୫ରେ ଏହି ସଂଖ୍ୟା ୮କୁ ଖସିଆସିଛି। ଭିତ୍ତିଭୂମି ଅଭାବରୁ ଦାଣ୍ଡରେ, ଅଟୋରେ ଗର୍ଭବତୀ ମହିଳାମାନେ ପ୍ରସବ କରୁଛନ୍ତି। ରାଜ୍ୟର ରୋଗୀମାନେ ୮୦ ପ୍ରତିଶତ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରୁଛନ୍ତି। ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ସେବା ପରି ମୌଳିକ ସେବା ଯୋଗାଇ ପାରୁ ନ ଥିବା ସରକାର କେବଳ କେନ୍ଦ୍ରୀୟ ଯୋଜନାରେ ବାଧା ଦେବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର