ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସ୍ୱାସ୍ଥ୍ୟସେବା : ଡାକ୍ତର ନାହାନ୍ତି, ଠାକୁରଙ୍କ ଭରସାରେ ରୋଗୀ, ପ୍ରତିବାଦ କଲେ ମିଳୁନି ମାଗଣା ଔଷଧ

ନୂଆଗାଁ : ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କେଉଁଠି ଆଖି ବଦଳରେ କାନ ଔଷଧ ଦିଆଯାଇ ରୋଗୀଙ୍କ ଆଖି ନଷ୍ଟ କରିଦିଆଗଲାଣି ତ ଆଉ କେଉଁଠି ରୋଗୀମାନେ ସ୍ୱାସ୍ଥ୍ୟସେବା ନ ପାଇ ଦେଶୀ ଚିକିତ୍ସା ଆପଣାଇବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଲାଣି। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସୁଛି। ରୋଗୀମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉ ନ ଥିବାରୁ ସମ୍ପୂର୍ଣ୍ଣ ଠାକୁରଙ୍କ ଭରସାରେ ଛାଡ଼ି ଦେଇଛନ୍ତି। ରୋଗୀ ମୁହଁ ଖୋଲିଲେ ସେମାନଙ୍କୁ ମାଗଣା ଔଷଧ ବନ୍ଦ କରି ଦିଆଯାଉଥିବା ଅଭିଯୋଗ ଆସୁଛି। ଫଳରେ ରୋଗୀମାନଙ୍କୁ ବାଧ୍ୟ ହୋଇ ଚିକିତ୍ସା ପାଇଁ ନୟାଗଡ଼ ଯିବାକୁ ପଡ଼ୁଛି। ସରକାରଙ୍କ ୫-ଟି ଯୋଜନାକୁ ଦେଖି ଲୋକେ ସାଧାରଣରେ ପ୍ରହସନ ବୋଲି କହିଲେଣି।

ନୂଆଗାଁ ବ୍ଲକ୍‌ରେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତରଖାନା ହୋଇଥିବା ବେଳେ ବାହାଡ଼ାଝୋଲା, ନୂଆଗାଁ, ଡିମିରିପଲ୍ଲି ଓ ଜଗନ୍ନାଥପ୍ରସାଦ‌ରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ଏଠାରେ ଜଣେ ହେଲେ ଡାକ୍ତର ନିଯୁକ୍ତ ହୋଇନାହାନ୍ତି। ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାରି ଜଣ ଡାକ୍ତର ରହି ରୋଗୀଙ୍କ ଚିକିତ୍ସା କରିବାର ନିର୍ଦ୍ଦେଶ ରହିଛି। ଜଣେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଓ ଜଣେ ଆୟୁଷ ଡାକ୍ତର ରହିବାର ନିୟମ ରହିଛି। କିନ୍ତୁ ଏଠାରେ ଜଣେ ହେଲେ ଡାକ୍ତରଙ୍କୁ ନିଯୁକ୍ତି କରା ନ ଯାଇ ଜଣେ ଭାରପ୍ରାପ୍ତ ଡାକ୍ତରଙ୍କ ମୁଣ୍ତରେ ସବୁ ଦାୟିତ୍ବ ମୁଣ୍ତାଇ ଦିଆଯାଇଛି। ଫଳରେ ପ୍ରତିଦିନ ଏଠାକୁ ଆସୁଥିବା ଗର୍ଭବତୀ ମହିଳା, ଦୁର୍ଘଟଣାଗ୍ରସ୍ତ ରୋଗୀ, ଜନ୍ମିତ ଶିଶୁ, ବୃଦ୍ଧବୃଦ୍ଧାମାନେ ଆବଶ୍ୟକ ଚିକିତ୍ସା ନ ପାଇ ନାନା ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି।

ସେହିପରି ବାହାଡ଼ାଝୋଲା, ନୂଆଗାଁ, ଡିମିରିପଲ୍ଲୀ ଓ ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ୍‌ରେ କାମ ଚାଲୁଥିବା ବେଳେ ଡିମିରିପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଡାକ୍ତର ଠିକ୍‌ରେ ରହୁ ନ ଥିବାରୁ ରୋଗୀମାନଙ୍କୁ ନୟାଗଡ଼ ପଠାଇ ଦିଆଯାଉଥିବା ଜଣାପଡ଼ିଛି। ସବୁ ସମୟରେ ଲୋକମାନେ ଏକମାତ୍ର ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ ମଧ୍ୟ ଏଠାକୁ ଡାକ୍ତର ଆସନ୍ତି ନାହିଁ କି ରୋଗୀ ସେବା ପାଇପାରନ୍ତି ନାହିଁ। ନୂଆଗାଁ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିଗିଡ଼ୁଥିବାରୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ଜଣେ କିମ୍ବା ଦୁଇଜଣ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର