ଓଡ଼ିଶାରେ ସ୍ବାସ୍ଥ୍ୟସେବା ଅବହେଳିତ ଅଭିଯୋଗ : ମାଗଣା ବା ସ୍ବଳ୍ପ ମୂଲ୍ୟରେ ସ୍ବାସ୍ଥ୍ୟସେବାର ଗ୍ୟାରେଣ୍ଟି ଦେବ କଂଗ୍ରେସ

ଭୁବନେଶ୍ବର : ଓଡ଼ିଶାରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଅବହେଳିତ। ୧୯ ବର୍ଷର ଶାସନ ଭିତରେ ନବୀନ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ ୨୦୨୩-୨୪ ସୁଦ୍ଧା ଦେଶରେ ସ୍ବାସ୍ଥ୍ୟସେବା ବ୍ୟୟକୁ ଦୁଇଗୁଣ ଅର୍ଥାତ୍‌ ଜିଡିପିର ୩ ପ୍ରତିଶତ କରିବ କଂଗ୍ରେସ। ପ୍ରତ୍ୟେକ ନାଗରିକଙ୍କୁ ତାଙ୍କ ଆୟ ଓ ସାମର୍ଥ୍ୟ ଅନୁସାରେ ମାଗଣା ବା ସ୍ବଳ୍ପ ମୂଲ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଗ୍ୟାରେଣ୍ଟି ଦେବ। ଏହା ସହିତ ସ୍ବାସ୍ଥ୍ୟସେବା ଅଧିକାର ଅଧିନିୟମକୁ ଲାଗୁ କରାଯିବ ବୋଲି କହିଛି ପ୍ରଦେଶ କଂଗ୍ରେସ କମିଟି।

ଆଜି ଏ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ପିସିସି ଉପ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଲେ, ୨୦ ବର୍ଷରେ ଜନସଂଖ୍ୟା ଅନୁପାତରେ ଡାକ୍ତର ସଂଖ୍ୟା ଯଥେଷ୍ଟ କମ୍‌ ରହିଛି। ସାଢ଼େ ୪ କୋଟି ଲୋକଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ରହିଛି ମାତ୍ର ୧୮ ହଜାର ଶଯ୍ୟା। ସେହିପରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କମ୍‌ ଥିବା ବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମି, ମୌଳିକ ଚିକିତ୍ସା ସୁବିଧା ନାହିଁ। ସେହିପରି ଶିଶୁ ମୃତ୍ୟୁହାରକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତିି, ରାଜ୍ୟବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ବେଳେ ସେମାନଙ୍କୁ ନବୀନବାବୁ ପଚାରୁଛନ୍ତି ଆପଣମାନେ ଖୁସି ତ? ତେବେ ଆଗାମୀ ଦିନରେ କଂଗ୍ରେସ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ‌ ‌େଦବା ସହିତ ନିଶୁଳ୍କ ଆମ୍ବୁଲାନ୍ସ ସେବା, ରାଷ୍ଟ୍ରୀୟ ଟେଲି‌ ମେଡିସିନ୍‌ ନୀତି ପ୍ରଣୟନ, ଡାକ୍ତର ଓ ବିଶେଷଜ୍ଞଙ୍କ ସଂଖ୍ୟାରେ ବୃଦ୍ଧି, ଆଶାକର୍ମୀଙ୍କ ସଂଖ୍ୟା ବୃଦ୍ଧି ଆଦି କରାଯିବ ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଥିଲେ।

ସମ୍ବନ୍ଧିତ ଖବର