କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଖଣି ଲିଜ୍‌ଧାରୀଙ୍କ ଶୁଣାଣି, ଜରିମାନା ନଦେଲେ ବାଜ୍ୟାପ୍ତ ହେବ ସମ୍ପତ୍ତି

କେନ୍ଦୁଝର : ଜରିମାନା ପୈଠ କରୁନଥିବାରୁ ଖଣି ଦୁର୍ନୀତିରେ ସଂପୃକ୍ତ ଲିଜ୍‌ଧାରୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏହି ମାମଲାର ଶୁଣାଣି କରି ଖିଲାଫି ଖଣି ଲିଜ୍‌ଧାରୀଙ୍କୁ ତୁରନ୍ତ ଜରିମାନା ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ କିଛି କମ୍ପାନିକୁ ୭ ଦିନ ସମୟ ଦିଆଯାଇଥିବା ବେଳେ ଆଉ କିଛି କିମ୍ପାନିକୁ ୧୫ ଦିନ ଓ ଆଉ କେତେକ କମ୍ପାନିକୁ ମାସେ ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ଜରିମାନା ଅର୍ଥ ପୈଠ ନ କରନ୍ତି, ତେବେ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳଙ୍କ କୋର୍ଟ ଆଜି ନିର୍ଦେଶ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ଓ ପରେ ସୁପ୍ରିମକୋର୍ଟ ଦ୍ୱାରା ଖଣି ଦୁର୍ନୀତିର ତଦନ୍ତ ଜଷ୍ଟିସ ଏମ୍‌ବି ଶାହ କମିସନ କରିଥିଲେ। ଲିଜ୍‌ଧାରୀମାନେ ଓପିଡିଆର୍ ଆଇନ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ନିକଟରୁ ଶତ ପ୍ରତିଶତ ଜରିମାନା ଆଦାୟ ପାଇଁ ଧାର୍ଯ୍ୟ କରାଯାଇଥିଲା। ଏଥିରେ ମଧ୍ୟ ବ୍ୟତିକ୍ରମ କରିଥିବାରୁ ସେମାନଙ୍କ ନିକଟରୁ ସୁଧମୂଳ ସହ ଜରିମାନା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ଶେଷରେ ଜରିମାନା ପୈଠ କରିନଥିବା ୩୧ ଖଣି କମ୍ପାନିର ୨୩ ଲିଜଧାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ କୋର୍ଟରେ ଓପିଡିଆର୍ ସାର୍ଟିଫିକେଟ କେସ୍‌ କରାଯାଇଥିଲା। ଏହି ମାମଲାର ବିଚାର ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଆଜି ୯ଟି ଖଣି ଲିଜଧାରୀଙ୍କୁ ହାଜର ହୋଇ ଜରିମାନା ଅର୍ଥ ପୈଠ କରିବାକୁ ନିର୍ଦେଶ ଦିଆଯାଇଛି। ଆଜିର ଶୁଣାଣିରେ ଭଞ୍ଜ ମିନେରାଲ୍ସ ପ୍ରା.ଲି. ଅନୁପସ୍ଥିତ ରହିଥିବାବେଳେ ମାଲାରାୟ, ମେସର୍ସ ବିପିଏମ୍ଇ ଲି.,ଏମ୍ଆର୍ ଦାସ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ,ଏସ୍‌ପି ପାଢ଼ୀ, ମିଡ୍ ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲି., ଏସ୍ଏନ୍ ଦାସ ମହାପାତ୍ର ଓ ମିଡ୍ ଇଷ୍ଟ ଷ୍ଟିଲ ଲି.ର ଖଣି ଲିଜଧାରୀ ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ସେମାନଙ୍କର ପକ୍ଷ ରଖିଥିଲେ। କେବଳ ମାଲା ରାୟ କମ୍ପାନିର ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା କାରଣରୁ ଶନିବାର ଦିନଠାରୁ ମାସକ ମଧ୍ୟରେ ଜୋରିମାନା ଅର୍ଥ ପୈଠ କରିବାକୁ ସୁଯୋଗ ଦିଆଯାଇଛି। ପୂର୍ବରୁ ମଧ୍ୟ ମାଲା ରାୟ କମ୍ପାନି ଗତ ମେ ୨୫ ତାରିଖରେ ଦୁଇଟି ଖଣି ପାଇଁ ଯଥାକ୍ରମେ ୬୦ ଲକ୍ଷ ଓ ୧୩ ଲକ୍ଷ ଟଙ୍କା ପୈଠ କରିଥିଲା। ତେଣୁ ଅବଶିଷ୍ଟ ଜରିମାନା ଅର୍ଥ ଆସନ୍ତା ମାସକ ମଧ୍ୟରେ ପୈଠ ନ କଲେ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳଙ୍କ କୋର୍ଟ ନିର୍ଦେଶ ଦେଇଛନ୍ତି।

ସେହିପରି ଆଜି ଜିଲ୍ଲାପାଳଙ୍କ କୋର୍ଟରେ ଅନୁପସ୍ଥିତ ଥିବା ଭଞ୍ଜ ମିନେରାଲ୍ସ ପ୍ରା.ଲି. କମ୍ପାନିକୁ ମାତ୍ର ୭ ଦିନ ମଧ୍ୟରେ ସମସ୍ତ ଜରିମାନା ଅର୍ଥ ପୈଠ କରିବାକୁ ନିର୍ଦେଶ ହୋଇଛି। ସେହିପରି ଜିଲ୍ଲାପାଳଙ୍କ କୋର୍ଟରେ ଉପସ୍ଥିତ ଥିବା ଏମ୍ ଆର ଦାସ କମ୍ପାନି ଏବଂ ଏସ୍‌ସି ପାଢ଼ୀ କମ୍ପାନିକୁ ୧୫ ଦିନ ସମୟ ଦିଆଯାଇଛି। ସେହିପରି ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ମିଡ୍ ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲି.,ଏସ୍ଏନ୍ ଦାସ ମହାପାତ୍ର ଓ ମିଡ୍ ଇଷ୍ଟ ଷ୍ଟିଲ ଲି., ମେସର୍ସ ବିପିଏମ୍ଇ ଲି. ପ୍ରମୁଖଙ୍କୁ ୭ ଦିନ ମଧ୍ୟରେ ଜରିମାନା ଅର୍ଥ ପଇଠ ପାଇଁ କୁହାଯାଇଛି। ଯଦି ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ଅର୍ଥ ପୈଠ ନ କରାଯାଏ, ତେବେ ଏହି ଖଣି ଲିଜ୍‌ଧାରୀଙ୍କୁ ସଂପତ୍ତି ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏହି ନିର୍ଦେଶନାମାରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର