ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ : ଜୁଇରେ ମାଆ ଜଳିଯିବା ପରେ ଝିଅ ପାଇଁ ଅତୀତ ପାଲଟିଗଲା ‘ମାଆ ଡାକ’

ନିଆଁ ଝୁଲରେ ମାଆର ସ୍ନେହବୋଳା ପଣତ ଯେତେବେଳେ ପୋଡିଯାଉଥିଲା, ମାଆର ଚିରା ପଣତରେ ନିଜ ମୁହଁପୋଛା କଥା ଭାବି ଝିଅ ଲୁହ ଝରାଉଥିଲା । କାରଣ ଏ କୁନି ଝିଅ ଜାଣି ସାରିଥିଲା ଆଜି ଠାରୁ ତା ମାଆ ଡାକରେ ଯବନିକା ପଡିଲା ଆଉ ମାଆ ଡାକ ତା ପାଇଁ ଅତୀତ ପାଲଟିଗଲା…

ଭୁବନେଶ୍ୱର : ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ। ଶ୍ମଶାନରେ ଶେଷଥର ପାଇଁ ଜୁଇରେ ଜଳିଗଲା ମାଆ ଡାକ। ମଶାଣିରେ ମାଆର ଜୁଇ ସିନା ଜଳୁଥିଲା ହେଲେ ଅବଶୋଷର ନିଆଁରେ ଜଳୁଥିଲା ଝିଅର ମନ। ନିଆଁ ଝୁଲରେ ମାଆର ସ୍ନେହବୋଳା ପଣତ ଯେତେବେଳେ ପୋଡିଯାଉଥିଲା, ମାଆର ଚିରା ପଣତରେ ନିଜ ମୁହଁପୋଛା କଥା ଭାବି ଝିଅ ଲୁହ ଝରାଉଥିଲା। କାରଣ ଏ କୁନି ଝିଅ ଜାଣି ସାରିଥିଲା ଆଜି ଠାରୁ ତା ମାଆ ଡାକରେ ଯବନିକା ପଡିଲା ଆଉ ମାଆ ଡାକ ତା ପାଇଁ ଅତୀତ ପାଲଟିଗଲା…

ମାତୃ ଦିବସରେ କୋରାପୁଟ ଜୟପୁରରୁ ଆସିଛି ଏଭଳି ହୃଦୟ ବିଦାରକ କାହାଣୀ। ଯାହାକୁ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ। ସାରା ବିଶ୍ୱ ଯେତେବେଳେ ମଦର୍ସ ଡେ ପାଳନ କରୁଥିଲା, ମା ସହ ଫଟୋ ଛାଡି ମାଆର ସ୍ମୃତି ମନେପକାଉ ଥିଲା ଠିକ ସେତିକି ବେଳେ ଏ ଅଭାଗିନୀ ମାଆର ମୁହଁରେ ମୁଖାଗ୍ନୀ ଦେଉଥିଲା। ମାଆକୁ ମୁଣ୍ଡିଆ ମାରିବା ବଦଳରେ ମହାଯାତ୍ରା ପାଇଁ ଜୁଇ ସଜାଡୁଥିଲା, ଶେଷ ବିଦାୟ ଦେଉଥିଲା।

ଜାନୁୟାରୀ ମାସରୁ ଏକ ମାମଲାରେ ଜୟପୁର ସବ ଜେଲରେ ବିଚାରାଧୀନ କଏଦୀ ଥିଲେ ମାଆ। ଜାମିନ ପାଇଁ ଆବେଦନ କରିଥିଲେ ବି ମୁକୁଳି ପାରୁନଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ଗତ ୯ ତାରିଖ ଦିନ କାରାଗାର ଭିତରେ ଫିନାଇଲ ପିଇ ଆତ୍ମହତ୍ୟା କରିଥିଲେ ମାଆ।। ବାସ୍ ତାପରେ ମାଆ ମୃତ୍ୟୁ ଖବର ପାଇ ନିଜ ସଂସାରରର ଅନ୍ତିମ ସଂସ୍କାର କରିବା ପାଇଁ ଶ୍ମାଶାନକୁ ବଢିଥିଲା ୧୫ ବର୍ଷର କୁନି ଝିଅର ସ୍ୱିଟିର ଶକ୍ତିହୀନ ପାଦ।

ମଶାଣୀରେ ମାଆର ଶେଷକୃତ୍ୟ ସଂମ୍ପନ୍ନ କରିବା ପରେ ଅସହାୟ ଝିଅକୁ ସହାୟ ହୋଇଥିଲେ ଏ ମହିଳା ଜଣଙ୍କ। ମାଆ ମୃତ୍ୟୁ ପରେ ସ୍ୱିଟିକୁ ଶିଶୁ ମଙ୍ଗଳ ଅଧିକାରୀ ଭେଟିଥିଲେ ଆଉ ତାକୁ ସବୁ ସରକାରୀ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ମାତୃ ଦିବସରେ ମାଆ ମୁହଁରେ ମୁଖାଗ୍ନୀ ଦେଇଥିବା ସ୍ୱିଟି ପରପାରିରେ ଥିବା ମାଆର ଅଧୁରା ସ୍ୱପ୍ନ ପୂରା କରି ଭଲ ମଣିଷ ହେବାକୁ ପଣ କରିଛି…

ସମ୍ବନ୍ଧିତ ଖବର