୧୪ରୁ ବଢ଼ିବ ତାତି

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ବି ତାତି ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଥିବାରୁ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ତଳକୁ ଖସି ଆସିଛି। ଆସନ୍ତା ୧୩ ତାରିଖ ଯାଏ ଏଭଳି ପାଗ ଜାରି ରହିବ। ୧୪ ତାରିଖଠାରୁ ପୁଣିଥରେ ତାପମାତ୍ରା ବଢ଼ିବ। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଟପିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ ୯ରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଜପତି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି। ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବ। ସ୍ଥାନେ ସ୍ଥାନେ ବଜ୍ରପାତର ବି ଆଶଙ୍କା ରହିଛି। ୧୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା, ୧୧ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିପାରେ। ୧୨ ଓ ୧୩ ତାରିଖରେ ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ କାଳବୈଶାଖୀ ହେବାର ଆଶଙ୍କା ଅଧିକ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୪୨.୬ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହାବ୍ୟତୀତ କୋରାପୁଟ ଓ ବାଲେଶ୍ୱରରେ ୨୬ ମି.ମି., ସୋନପୁରରେ ୧୯ ମି.ମି., ମାଲକାନଗିରିରେ ୧୮ ମି.ମି., ଫୁଲବାଣୀ ଓ କଟକରେ ୧୦ ମି.ମି., ଭୁବନେଶ୍ୱରରେ ୭.୨ ମି.ମି. ବର୍ଷା ହୋଇଛି। ଅନ୍ୟ ସ୍ଥାନରେ ହାଲକା ବର୍ଷା ହୋଇଛି। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର