୩୦ ଯାଏ ନିସ୍ତାର ନାହିଁ, ୧୦ ଜିଲ୍ଲାକୁ ହିଟ୍‌ୱେଭ୍‌ ଜାରି

ଅଂଶୁଘାତ ମୃତ୍ୟୁ ନେଇ ଖବର ନାହିଁ:ଏସ୍‌ଆରସି

0

ଭୁବନେଶ୍ବର : ମେ’ ୩୦ ଯାଏ ନିସ୍ତାର ମିଳିବନି। ଟକମକ ହୋଇ ଫୁଟିବ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା। ୨୫ରୁ ୨୯ ତାରିଖ ମଧ୍ୟରେ କେତେକ ସହରର ତାପମାତ୍ରା ୪୭ ଡିଗ୍ରି ଟପିଯିବ। ଟାଣ ଖରା ସାଙ୍ଗକୁ ବାୟୁମଣ୍ଡଳରେ ଆଦ୍ରତା ବଢ଼ିବା ହେତୁ ସପ୍ତାହ ଯାଏ ଲୋକେ ତାତିରେ ଆଉଟୁପାଉଟୁ ହେବେ। ବଞ୍ଚିବା ପାଇଁ ରାହା ଖୋଜିବେ।

କେବଳ ପଶ୍ଚିମ କି କେନ୍ଦ୍ରୀୟ ଓଡ଼ିଶା ନୁହେଁ। ଉପକୂଳ ଓଡ଼ିଶା ପ୍ରତି ବି ତାତିର ବିପଦ ମାଡ଼ି ଆସୁଛି। ୨୩ ତାରିଖ ଯାଏ ସ୍ଥିତି ଅପରିବର୍ତ୍ତିତ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ କମିବ। ତେବେ ୨୪ ତାରିଖଠାରୁ ଅସ୍ତବ୍ୟସ୍ତ ହେବ ସମଗ୍ର ଉପକୂଳ ଓଡ଼ିଶା। ଭୁବନେଶ୍ବରରୁ ଚାନ୍ଦବାଲି ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି ଅନୁଭୂତ ହେବ। ଆର୍ଦ୍ରତା ବି ବଢ଼ିବ। ୪୦ ଡିଗ୍ରି ତାପମାତ୍ରାରେ ରହିଲେ ବି ୫୦ ଡିଗ୍ରି ପରି ଅନୁଭୂତ ହେବ। ଦେହ ଜଳିଗଲା ପରି ଲାଗିବ।

ଓଡ଼ିଶା ପାଇଁ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସତର୍କ ରହିବା ସହ ସଚେତନତା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ସ୍ଥିତିକୁ ଗୁରୁତ୍ବର ସହ ଗ୍ରହଣ କରି ଆସନ୍ତା ଦୁଇ ଦିନ ଲାଗି ଓଡ଼ିଶାର ୧୦ ଜିଲ୍ଲା ପାଇଁ ହିଟ୍‌ୱେଭ୍‌(ଗ୍ରୀଷ୍ମ ପ୍ରବାହ) ସତର୍କ ସୂଚନା ଜାରି ହୋଇଛି। ହିଟ୍‌ୱେଭ୍‌ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, କଳାହାଣ୍ଡି ଓ ଝାରସୁଗୁଡ଼ା। ଏହି ଜିଲ୍ଲାବାସୀମାନେ ୨୨ ତାରିଖ ଯାଏ ତାତିଠାରୁ ଦୂରେଇ ରହିବା ସହ ଅଂଶୁଘାତରେ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ପ୍ରାଥମିକତା ଦେବାକୁ କୁହାଯାଇଛି।

ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ଜଳଛତ୍ର ଓ ଏକାଧିକ ସ୍ଥାନରେ ଛାଇ କରିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଖରାରେ ଶ୍ରମିକଙ୍କୁ କାମ ନ କରାଇ ସେମାନଙ୍କୁ ଶ୍ରମ କରିବାର ସମୟରେ ପରିବର୍ତ୍ତନ କରିବାକୁ କୁହାଯାଇଛି। କାର୍ଯ୍ୟସ୍ଥଳୀରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା କରିବା, ଖରା ସମୟରେ ଘର ଭିତରେ ରହିବା, ଥଣ୍ଡା ପାଣିରେ ଗାଧୋଇବା, ଫ୍ୟାନ୍‌ ବ୍ୟବହାର, ଦୁର୍ବଳ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା, ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୩ଟା ଯାଏ ପଦାକୁ ନ ବାହାରିବା, ମାଦକ ଦ୍ରବ୍ୟ, ଚା’, କଫି, କାର୍ବୋ‌ନେଟେଡ୍‌ ମୃଦୁ ପାନୀୟ ଆଦି ନ ପିଇବାକୁ ପରାମର୍ଶ ଦିଆଯାଇଛି। ପିଲାମାନଙ୍କ ପ୍ରତି ସତର୍କତା ଅବଲମ୍ବନ କରିବାକୁ ବି ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ଭୁବନେଶ୍ବରରେ ୩୮ ଡିଗ୍ରି ରହିବ। ମେ’ ୨୨ରୁ ଭୁବନେଶ୍ବର ସର୍ବୋଚ୍ଚ ତାପମାତ୍ରା କ୍ରମଶଃ ହ୍ରାସ ପାଇ ୩୫ରୁ ୩୬ ଡିଗ୍ରି ଭିତରେ ରହିବ। କିନ୍ତୁ ବାୟୁର ଆର୍ଦ୍ରତା ବଢ଼ିବା ହେତୁ ଗୁଳୁଗୁଳି ଜାରି ରହିବ। ୨୫ ତାରିଖରେ ତାପମାତ୍ରା ପୁଣି ବଢ଼ିବ। ୨୬ରେ ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରି ହୋଇପାରେ। ୨୬ ଓ ୨୭ରେ କାଳବୈଶାଖୀ ବର୍ଷା ହେବା ପରେ ତାପମାତ୍ରା ପୁଣି ହ୍ରାସ ପାଇବା‌ର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶା ସ୍ଥିତିରେ ପୂର୍ବଭଳି ରହିବ। ଆସନ୍ତାକାଲି ତାପମାତ୍ରା ପ୍ରୟତଃ ଅପରିବର୍ତ୍ତିତ ରହିବ। ୨୨ ତାରିଖରୁ ବଢ଼ିବ। ୨୭ରୁ ୨୯ ଯାଏ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୭ ଡିଗ୍ରି ଛୁଇଁପାରେ। ଆସନ୍ତା ସପ୍ତାହକ ଯାଏ ପଶ୍ଚିମ ଓଡ଼ିଶାବାସୀଙ୍କୁ ତାତିରୁ ତ୍ରାହି ନାହିଁ।

ଅନ୍ୟପକ୍ଷରେ ତାତି ବଢ଼ୁଥିବାରୁ ଅଂଶୁଘାତ ମୃତ ସଂଖ୍ୟା ବି ବଢ଼ିଚାଲିଛି। ଆଜି ବି କିଛି ସ୍ଥାନରେ ଏଭଳି ଅଭିଯୋଗ ଆସିଛି। ତେବେ ଏସ୍‌ଆରସି ‌ଶ୍ରୀ ସେଠୀ କହିଛନ୍ତି ଯେ ପ୍ରଚଣ୍ଡ ଖରା ଯୋଗୁ ରାଜ୍ୟର କୌଣସି ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ନେଇ ସରକାରଙ୍କ ପାଖକୁ କୌଣସି ଖବର ଆସିନାହିଁ। ଖରାରେ ଯେପରି କେହି ବି ବାହାରକୁ ନ ବାହାରନ୍ତି ସେଥିପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ବିଏସ୍‌ଏନ୍‌ଏଲ୍‌ ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଏ ନେଇ ନିୟମିତ ବ୍ୟବଧାନରେ ସତର୍କ ସୂଚନା ପ୍ରଦାନ କରାଯାଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ପ୍ରକାର ଆଗୁଆ ସତର୍କତା ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.