ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମପ୍ରବାହ: ୬ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ଥିବା ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଗୁରୁବାର ଅପରାହ୍ଣ ସୁଦ୍ଧା ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ବଲାଙ୍ଗୀର ପ୍ରମୁଖ ୬ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ରାଜ୍ୟର ଏହି ୬ଟି ଜିଲ୍ଲାରେ ପ୍ରବାହିତ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହ କାରଣରୁ ଅଂଶୁଘାତର ଆଶଙ୍କା ରହିଥିବାରୁ ଏହି ୬ଟି ଜିଲ୍ଲାରେ ବୃଦ୍ଧ ଓ ଶିଶୁମାନଙ୍କୁ ସକାଳ ୮ଟା ପରଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବା ପାଇଁ ଜାରି ସତର୍କ ସୂଚନାରେ ପରାମର୍ଶ ଦିଆଯାଇଛି। ଗତକାଲି, ଅର୍ଥାତ୍‌ ସୋମବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ସେଲସିୟସ ରାଜ୍ୟର ତତଲାଗଡ଼ ରୂପେ ପରିଚିତ ଟିଟଲାଗଡ଼ ଠାରେ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ଆଜି ବୁଧବାର, ସକାଳ ୮ଟା୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୪.୪ ଡିଗ୍ରି ସେଲସିୟସ ଥିବା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଅପରାହ୍ଣରୁ ସନ୍ଧ୍ୟା ଭିତରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ମଧ୍ୟ ସମ୍ଭାବନା ମଧ୍ୟ ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ସମ୍ବନ୍ଧିତ ଖବର