ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିପାରେ ଗ୍ରୀଷ୍ମ ପ୍ରବାହ!

ଆଜି ବଲାଙ୍ଗୀର ଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ଥିବା ବେଳେ ସର୍ବନିମ୍ନ ୩୧.୭ ଡିଗ୍ରି ରହିଛି ଗୋପାଳପୁରରେ

ଭୁବନେଶ୍ୱର: ଗତ ପ୍ରାୟ ଏକ ସପ୍ତାହ ଧରି ସମଗ୍ର ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହ ଆଜି ମଧ୍ୟ ଜାରି ରହିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଠାରେ ୪୩.୩ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଗୋପାଳପୁର ଠାରେ ୩୧.୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା ସହ ସମଗ୍ର ପଶ୍ଚିମ ଓଡ଼ିଶା ଏବେ ଏକ ତତଲା କଡ଼େଇରେ ପରିଣତ ହୋଇଛି। ଆଜି ଅନୁଗୁଳର ତାପମାତ୍ରା ୪୦.୧ ଡିଗ୍ରି ଥିବାବେଳେ, ଝାରସୁଗୁଡ଼ାରେ ୪୧ ଡିଗ୍ରି, ସମ୍ବଲପୁରରେ ୪୧.୪ ଡିଗ୍ରି, ସୁନ୍ଦରଗଡ଼ରେ ୪୦ ଡିଗ୍ରି, ହୀରକୁଦ୍‌ରେ ୪୧.୬ ଡିଗ୍ରି, ତାଳଚେରରେ ୪୨ ଡିଗ୍ରି ଓ ଟିଟଲାଗଡ଼ରେ ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ସମଗ୍ର ପଶ୍ଚିମ ଓଡ଼ିଶାରେ ସକାଳ ୮ଟା ପରେ ଆକାଶରୁ ସତେ ଯେପରି ନିଆଁ ବର୍ଷୁଛି। ଖରାର ତାତି ଓ ତତଲା ପବନରେ ଲୋକେ ଘରୁ ବାହାରି ପାରୁ ନାହାନ୍ତି।

ଅନ୍ୟପକ୍ଷରେ ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ତାତି ପଶ୍ଚିମ ଓଡ଼ିଶା ତୁଳନାରେ କମ୍‌ ରହୁଥିଲେ ମଧ୍ୟ ଦିନବେଳା ବହୁଥିବା ଝାଞ୍ଜି ପବନ ଯୋଗୁଁ ଲୋକେ ଘରୁ ପଦାକୁ ବାହାରି ପାରୁ ନାହିନ୍ତି। ସେହିପରି ଉପକୂଳ ଓଡ଼ିଶାର ସହରମାନଙ୍କରେ ତାତି ୩୩ରୁ ୩୮ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଚି। ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକ ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଉଥିଲେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷାକୁ ବାଦ୍‌ ଦେଲେ ଅନ୍ୟ କେଉଁଠାରେ କାଳବୈଶାଖୀ ଜନିତ କୁଆପଥର ବର୍ଷା ଦେଖିବା ପାଇଁ ମିଳୁନାହିଁ। ପ୍ରବଳ ଗରମରେ ଆଉଟୁପାଉଟୁ ହୋଇ ରାଜ୍ୟବାସୀ ବର୍ଷାକୁ ଚାତକ ଦୃଷ୍ଟିରେ ଚାହିଁ ବସିଥିବା ବେଳେ ଯେଉଁ କେତେକ ଅଞ୍ଚଳରେ ଆକାଶରେ ବାଦଲ ଦେଖା ଦେଉଛି ସେସବୁ ବର୍ଷିବା ବଦଳରେ ଆକାଶରେ ମିଲାଇ ଯାଉଛି।

ରାଜ୍ୟରେ ଆରମ୍ଭ ହୋଇଥିବା ଗ୍ରୀଷ୍ମପ୍ରବାହ ଆଉ କେତେଦିନ ପର୍ଯ୍ୟନ୍ତ ଜାରି ରହିବ, ସେ ସଂପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କିମ୍ବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପ୍ରକାରର ନର୍ଦ୍ଧିଷ୍ଟ ସୂଚନା ଜାରି ହୋଇ ନଥିଲେ ମଧ୍ୟ ଆହୁରି ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ ବୋଲି ସ୍କାଇମେଟ୍‌ ସଂସ୍ଥା ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର