ପ୍ରବଳ ଗରମ ଯୋଗୁଁ ୨୧୦୦ ସୁଦ୍ଧା ଓଡ଼ିଶାରେ ବର୍ଷକୁ ୪୨ ହଜାର ଲୋକ ପ୍ରାଣ ହରାଇବେ : ରିପୋର୍ଟ

ଭୁବନେଶ୍ୱର : ଯଦି ବର୍ତ୍ତମାନ ହାରରେ ବାୟୁମଣ୍ଡଳରେ ଗ୍ରୀନହାଉସ ଗ୍ୟାସ ନିର୍ଗମନ ଜାରି ରହେ, ତେବେ ଚଳିତ ଶତାବ୍ଦୀ ଶେଷ ଅର୍ଥାତ ୨୧୦୦ ସୁଦ୍ଧା ଓଡିଶା ଏକ ତତଲା କଡେଇରେ ପରିଣତ ହେବ । ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧିଘଟି ଏହି ସମୟ ସୁଦ୍ଧା ୪୮.୦୫କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ୨୦୧୦ରେ ଓଡିଶାରେ ଅତି ଗରମଦିନ ସଂଖା ମାତ୍ର ୧.୬୨ ରହିଥିଲା । ଏହି ତାପମାତ୍ରା ବୃଦ୍ଧି କାରଣରୁ ୨୧୦୦ ସୁଦ୍ଧା ଓଡିଶାରେ ପ୍ରତି ବର୍ଷ ଜଳବାୟୁ ଜନିତ କାରଣରୁ ପ୍ରାୟ ୪୨ ହଜାର ୩୩୪ ଜଣ ଲୋକ ପ୍ରାଣ ହରାଇବେ ବୋଲି ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି । ଏହି ରିପୋର୍ଟକୁ କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ ପକ୍ଷରୁ ଟାଟା ସେଣ୍ଟର ଫର ଡେଭେଲପମେଣ୍ଟ ସହଯୋଗରେ ପ୍ରସ୍ତୁତ କରାଯାଇଛି ।

କେବଳ ଓଡିଶା ନୁହେଁ, ସମଗ୍ର ଭାରତରେ, ଅତ୍ୟଧିକ ଗରମ ଦିନ ସଂଖ୍ୟା ଆଠଗୁଣବୃଦ୍ଧି ପାଇ ୨୧୦୦ ସୁଦ୍ଧା ୪୨.୮ ରେ ପହଞ୍ଚିବ ବୋଲି ଆଜି ଭୁବନେଶ୍ୱରରେ ଉନ୍ମୋଚନ କରାଯାଇଥିବା ଏହି ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କ୍ଲାଇମେଟ ଇମ୍ପାକ୍ଟ ଲାବର ସହ ପ୍ରତିଷ୍ଠାତା ମାଇକେଲ ଗ୍ରୀନଷ୍ଟୋନ କହିଛନ୍ତି ଯେ ଅତ୍ୟଧିକ ଅଙ୍ଗାରକାମ୍ଳ ନିର୍ଗମନ ସ୍ଥିତିରେ, ରାଜ୍ୟରେ ହାରାହାରି ଗ୍ରୀଷ୍ମଋତୁର ତାପମାତ୍ରା ଯାହା ୨୦୧୦ରେ ୨୮.୮୭ ଡିଗ୍ରୀ ସେଲସିଅସ ଥିଲା ତାହା ୨୧୦୦ ସୁଦ୍ଧା ୩୨.୧୯ ଡିଗ୍ରୀ ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।ଏହା ଜାତୀୟ ହାରଠାରୁ ବହୁତ ଅଧିକ । ଜାତୀୟସ୍ତରରେ ଏହିହାର ବର୍ତ୍ତମାନର ୨୪ ଡିଗ୍ରୀ ସେଲସିଅସ ସ୍ତରରୁ ବୃଦ୍ଧି ପାଇ ଶତାବ୍ଦୀ ଶେଷ ସୁଦ୍ଧା ୨୮ ଡିଗ୍ରୀ ସେଲସିଅସରେ ପହଞ୍ଚିବ । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏହାରପାଖାପାଖି ରହିବ, ସେଠାରେ ତାମପାତ୍ରାରେ ୩.୦୭ ଡିଗ୍ରୀ ସେଲସିଅସ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧିତ ଖବର