ପଞ୍ଚମ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସଂପର୍କିତ ସୂଚନା ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ଥଣ୍ଡା ଓ କଫରେ ପୀଡ଼ିତ ହୋଇ ବିଭିନ୍ନ ହସ୍ପିଟାଲକୁ ଯାଇଥିଲେ

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ପଞ୍ଚମ ଆକ୍ରାନ୍ତ ପ୍ରଥମେ ଥଣ୍ଡାରେ ପୀଡ଼ିତ ହୋଇ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟନଗରରେ ଥିବା ମହଶକ୍ତି କ୍ଲିନିକକୁ ଚିକିତ୍ସା ଲାଗି ଯାଇଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ଏବଂ ପ୍ରବଳ କଫ ହେବାରୁ ପୁଣି ଥରେ ସେ ମାର୍ଚ୍ଚ ୧୨ ତାରିଖରେ ସେହି ମହାଶକ୍ତି କ୍ଲିନିକକୁ ଯାଇଥିଲେ ।

ଏହା ପରେ ନିଃଶ୍ୱାସପ୍ରଶ୍ୱାସ ନେବାରେ ତାଙ୍କର ଅସୁବିଧା ହେବାରୁ ମାର୍ଚ୍ଚ ୨୭ ତାରିଖ ଦିନ ସେ ସମ ହସ୍ପିଟାଲର ଓପିଡିକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ । ଏହା ପର ଦିନ ଅର୍ଥାତ ମାର୍ଚ୍ଚ ୨୮ ତାରିଖ ଦିନ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ ଏବଂ ଓପିଡିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଘରକୁ ଫେରିଥିଲେ । ମାର୍ଚ୍ଚ ୩୧ ତାରିଖ ଦିନରେ ପୁଣି  ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଲାଗି ଭର୍ତ୍ତି ହୋଇଥିଲେ । ଏଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ସଂଗୃହୀତ ହୋଇଥିଲା । ଏପ୍ରିଲ ପହିଲା ଦିନ ଏହି ନମୁନା ପଜିଟିଭ ଥିବା ଜଣାପଡ଼ିଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଆଜି ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବଜନୀନ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଥିଲେ, ପଞ୍ଚମ ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ହେଉଛି ପ୍ରଦୀପ୍ତ ଦଳବେହେରା । ସେ ରାଜଧାନୀର ସୂର୍ଯ୍ୟନଗରସ୍ଥିତ (ୟୁନିଟ-୭) ର ୩୭ ନମ୍ବର ପ୍ଲଟରେ ନିଜ ପରିବାର ସହ ରୁହନ୍ତି । ସେ ବିଦେଶ ଯାଇ ନାହାନ୍ତି ବୋଲି ଜଣାପଡ଼ିଛି । ତେଣୁ ସେ ନିକଟସ୍ଥ ବଜାରକୁ ଯାଇ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ମାର୍ଚ୍ଚ ପରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସଙ୍ଗରୋଧରେ ରହୁନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

ସମ୍ବନ୍ଧିତ ଖବର