ଶୀତ ଅସହ୍ୟ

ଆହୁରି ସପ୍ତାହେ ହାଡ଼ଭଙ୍ଗା ଶୀତ

ଦାରିଙ୍ଗବାଡ଼ିରେ ୩ଡିଗ୍ରି

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତର ଲହରୀ। ରାତିକୁ ରାତି ଶୀତ ନୂଆ ରେକର୍ଡ ଭାଙ୍ଗୁଛି। ଆଜି ଦାରିଙ୍ଗବାଡିରେ ରାଜ୍ୟର ସବୁଠୁ କମ୍‌ ତାପମାତ୍ରା ୩ଡିଗ୍ରି ରେକର୍ଡ ହୋଇଛି। ସେଠାରେ କିଛି ସ୍ଥାନରେ ହାଲ୍‌କା ତୁଷାରପାତ ବି ଦେଖିବାକୁ ମିଳିଛି। ରାଜ୍ୟରେ ଚଳିତବର୍ଷର ଏହା ସର୍ବନିମ୍ନ ତାପମାତ୍ରା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି।

କେନ୍ଦ୍ରର ସୂଚନା ହେଲା, ଏଭଳି ହାଡ଼ଭଙ୍ଗା ଶୀତ ଆହୁରି ସପ୍ତାହେ ପର୍ଯ୍ୟନ୍ତ ଲାଗି ରହିବ। ତାପମାତ୍ରା ଆହୁରି ୧ଡିଗ୍ରି କମିପାରେ। ଅଳ୍ପ କିଛି ସ୍ଥାନରେ ତାପମାତ୍ରା ବଢ଼ିବା ସୂଚନା ମିଳୁଥିଲେ ବି ଶୀତରୁ ତ୍ରାହି ମିଳିବନି। କାରଣ ଏବେ ବାୟୁମଣ୍ଡଳ ପୂରା ଶୁଷ୍କ ଅଛି। ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବି ଶୀତର ପ୍ରଭାବ ରହିଛି। ସାରା ରାଜ୍ୟ ଥରୁଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାର ଫୁଲବାଣୀ, ଦାରିଙ୍ଗବାଡ଼ି, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼ ସହ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଡ଼ଭଙ୍ଗା ଜାଡ଼ ହେଉଛି। ଭୋର୍‌ ସମୟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଏହିପରି ଥଣ୍ଡା ଜାରି ରହିଲେ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ତୁଷାରପାତ ସମ୍ଭାବନାକୁ ଏଡ଼ାଇ ହେବନି।

ରାଜ୍ୟର ୧୩ଟି ସ୍ଥାନରେ ଆଜି ରାତିର ତାପମାାତ୍ରା ୧୦ ଡିଗ୍ରି ତଳେ ରହିଛି। ଦାରିଙ୍ଗବାଡ଼ିରେ ୩ଡିଗ୍ରି ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୩.୫ ଡିଗ୍ରି, ସୁନ୍ଦରଗଡ଼ରେ ୬.୫, ହୀରାକୁଦରେ ୭, ଝାରସୁଗୁଡ଼ାରେ ୭.୧, କେନ୍ଦୁଝରଗଡ଼ରେ ୮, ସମ୍ବଲପୁରରେ ୮.୪, ଭବାନୀପାଟଣାରେ ୭.୫, ବଲାଙ୍ଗୀରରେ ୯.୫, କୋରାପୁଟରେ ୮.୫, ସୋନପୁରରେ ୮.୮ଡିଗ୍ରି ରେକର୍ଡ ହୋଇଛି।

ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ହେଁ ଏହାର ପ୍ରଭାବ ଏବେ ସୁଦ୍ଧା ପରିଲକ୍ଷିତ ହୋଇନାହିଁ। ଯଦି ଏହା ଘନୀଭୂତ ହୁଏ ଏବଂ ଓଡ଼ିଶା ଉପକୂଳକୁ ଆସେ ତେବେ ଶୀତର ପ୍ରଭାବ ସାମାନ୍ୟ କମିପାରେ।

ଚମ୍ପୁଆରେ ୨ ମୃତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଏହାର ପ୍ରକୋପରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଚମ୍ପୁଆ ଅଞ୍ଚଳରେ ଏକ ସପ୍ତାହ ହେଲା ଶୀତ ଲହରି ଜାରି ରହିଛି। ଗତକାଲି ଚମ୍ପୁଆର ତାପମାତ୍ରା ୧୦ ଡିଗ୍ରି ସେଲ୍‌ସିୟସ୍‌ ଥିଲା। ଏହି ପ୍ରବଳ ଶୀତରେ ଚମ୍ପୁଆ ସଦର ମହକୁମା ଉପଖଣ୍ଡ ଚିକିତ୍ସାଳୟର ବାରଣ୍ଡାରେ ଶୋଇଥିବା ଜଣେ ଅସହାୟ ଲୋକଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଅସହାୟ ଓ ଅଜଣା ବ୍ୟକ୍ତିଜଣକ ଅନ୍ୟ ସ୍ଥାନରୁ ଆସି ଚମ୍ପୁଆ ବଜାରରେ ଥିବା କେତେକ ଦୋକାନରେ ପାଣି ଦେବା ସହିତ ରାସ୍ତା ଝାଡୁ କରି ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କର ଘର ନ ଥିବାରୁ ସେ ସନ୍ଧ୍ୟାରେ ଚମ୍ପୁଆ ଡାକ୍ତରଖାନା ବାରଣ୍ଡାକୁ ଯାଇ ଶୋଇଯାଉଥିଲେ। ଗତକାଲି ରାତିରେ ସେ ଚମ୍ପୁଆ ଡାକ୍ତରଖାନା ବାରଣ୍ଡାରେ ଶୋଇଥିବା ବେଳେ ପ୍ରବଳ ଶୀତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ସେହିପରି ଗତକାଲି ରାତିରେ ଅସହ୍ୟ ଥଣ୍ଡାରେ ଚମ୍ପୁଆ ନିକଟ ଅଢଙ୍ଗାପାଳ ଗ୍ରାମର ପାଣ୍ଡୁ ମହାନ୍ତ (୬୦)ଙ୍କ ଦେହ ଥଣ୍ଡା ପଡ଼ିଯାଇଥିଲା। ପାଣ୍ଡୁଙ୍କୁ ଚିକିତ୍ସା ପାଇଁ ପରିବାର ଲୋକ ଆଜି ଚମ୍ପୁଆ ଡାକ୍ତରଖାନା ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର