ରାୟଗଡ଼ାରେ ଲଘୁଚାପ ବର୍ଷା ଆରମ୍ଭ : ଭାସିଗଲା ଅସ୍ଥାୟୀ ପୋଲ, ଆନ୍ଧ୍ର-ଓଡ଼ିଶା ବିଚ୍ଛିନ୍ନ

ରାୟଗଡ଼ା : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାୟଗଡ଼ାରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ହାରାହାରି ୨୯.୫ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀ, ବଡ଼ନାଳ ଡ୍ୟାମ୍‌ର ଜଳସ୍ତର ବଢ଼ୁଥିବାରୁ କର୍ତୃପକ୍ଷ ୨ଟି ଗେଟ୍ ଖୋଲିଛନ୍ତି। ସେପେଟ ଗୁଣପୁର ଜଗନ୍ନାଥପୁର ନାଳରେ ପ୍ରବଳ ବନ୍ୟା ପାଣି ଆସିବା ଯୋଗୁ ଧୋଇ ଯାଇଛି ଅସ୍ଥାୟୀ ପୋଲ। ପୋଲ ଉପର ଦେଇ ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଲାଗି ରହିଛି। ସେପ୍ଟେମ୍ବର ୨ତାରିଖରୁ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେଉଥିବାରୁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରି ପାଣିପାଗ ବିଭାଗ ରାୟଗଡ଼ା ଜିଲ୍ଲାରେ ‌େୟଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହାର ପ୍ରଭାବ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା ସହ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଂଗପୁର ଜିଲ୍ଲାରେ ମଧ୍ୟ ରହିବ।

ଆଜି ଅପରାହ୍ନ ୨ଟାରୁ ରାୟଗଡ଼ାରେ ବର୍ଷା ଆରମ୍ଭ ହୋଇଥିବାବେଳେ ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷା ଲାଗି ରହିଥିବାରୁ ନଦୀ, ନାଳ ଓ ଡ୍ୟାମ୍ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବଡ଼ନାଳ ଡ୍ୟାମ୍ ଜଳସ୍ତର ବୃଦ୍ଧି ଯୋଗୁ ସଂଧ୍ୟା ୬ଟାରେ ଡ୍ୟାମ୍‌ର ୨ଟି ଗେଟ୍ ଖୋଲାଯାଇଛି। ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୧୭୬ ମିଟର ଥିବା ବେଳେ ସଂଧ୍ୟା ୫ଟା ସୁଦ୍ଧା ଜଳସ୍ତର ୧୭୫.୮୧ ମିଟରରେ ପହଞ୍ଚିଥିଲା। ଫଳରେ ଡ୍ୟାମ୍ କର୍ତୃପକ୍ଷ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରିବା ପରେ ୨ଟି ଗେଟ୍ ଖୋଲି ଦେଇଥିଲେ। ଏହି ଦୁଇଟି ଗେଟ୍‌ ଦେଇ ଘଣ୍ଟାକୁ ୫୦ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି। ବଡ଼ନାଳ ଗେଟ୍ ଖୋଲିବା ପରେ ବଂଶଧାରା ନଦୀ ଜଳସ୍ତର ବୃଦ୍ଧି ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି। ଅପରାହ୍ନ ୪ଟା ସୁଦ୍ଧା ଗୁଣପୁର ନିକଟରେ ବଂଶଧାରା ଜଳସ୍ତର ୮୦.୬୩ ମିଟର ରହିଛି। ବଂଶଧାରା ସତର୍କ ସଂକେତ ୮୩ ମିଟର ଏବଂ ବିପଦ ସଂକେତ ୮୪ ମିଟର ରହିଛି। ସେହିପରି ନାଗାବଳୀ ଜଳସ୍ତର ସତର୍କ ସଂକେତ ତଳେ ପ୍ରବାହିତ ହେଉଛି। କଲ୍ୟାଣସିଂହପୁରରେ ଜଳସ୍ତର ୦.୫୩ ମିଟର ଏବଂ ଜେକେପୁର ନିକଟରେ ୦.୪୦ ମିଟର ରହିଛି। ଗୁଣପୁରରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାର ଜଗନ୍ନାଥପୁର ନିକଟରେ ଥିବା ଅସ୍ଥାୟୀ ପୋଲ ସଂଧ୍ୟାରେ ଭାସିଯିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ପୋଲ ଉପରେ ନିର୍ଭର କରୁଥିବା ଗୋଠଲାପଡା, ମରୋମା ପଂଚାୟତବାସୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଜଗନ୍ନାଥପୁର ନାଳ ଉପରେ ବ୍ରିଜ୍ କାମ ଶେଷ ହୋଇନଥିବାରୁ ବହୁ ପୁରୁଣା ବ୍ରିଜ୍ ଦେଇ ହିଁ ଲୋକେ ଯାତାୟାତ କରୁଛନ୍ତି। ଯାହା ଫଳରେ ବର୍ଷା ପାଣି ଆସିବା ସଂଗେ ସଂଗେ ଆପ୍ରୋଚ୍ ରୋଡ୍ ସହ ଅସ୍ଥାୟୀ ପୋଲ ଭାସି ଯାଉଛି।

ଜିଲ୍ଲା ଜରୁରିକାଳୀନ ବିଭାଗ ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଜିଲ୍ଲାର ଚନ୍ଦ୍ରପୁର ବ୍ଲକରେ ସର୍ବାଧିକ ୬୨.୨ ମିମି, ମୁନିଗୁଡା ବ୍ଲକରେ ୫୮.୬ ମିମି, ରାୟଗଡା ବ୍ଲକରେ ୫୨.୬ ମିମି, କୋଲନରାରେ ୩୫.୨ ମିମି, କଲ୍ୟାଣସିଂହପୁରରେ ୨୮.୮ ମିମି, କାଶୀପୁରରେ ୧୬ ମିମି, ଗୁଣପୁରରେ ୧୩ ମିମି, ପଦ୍ମପୁରରେ ୧୧.୨ ମିମି, ରାମନାଗୁଡାରେ ୨୪.୬ ମିମି, ବିଷମକଟକରେ ୧୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ଅଗଷ୍ଟ ମାସରେ ଜିଲ୍ଲାରେ ହାରାହାରି ବର୍ଷାର ପରିମାଣ ରହିଛି ୪୨୭.୦୩ ମିମି।

ସମ୍ବନ୍ଧିତ ଖବର