ବର୍ଷାରେ ଉବୁଟୁବୁ ଅବିଭକ୍ତ କଟକ

ରେଳ ଧାରଣା ଦବିଲା, ଅଟକିଲା ରାଜଧାନୀ ଏକ୍ସପ୍ରେସ୍‌, କିଶନନଗର ଓ ପଟ୍ଟାମୁଣ୍ଡାଇରେ କାନ୍ଥ ଭୁଶୁଡି ୨ ମୃତ, ଏରସମାରେ ଭାସିଗଲେ ୧୦ ବର୍ଷର ବାଳକ

କଟକ/କେନ୍ଦ୍ରାପଡ଼ା/ଜଗତସିଂହପୁର : ଦୁଇ ଦିନର ଲଗାଣ ବର୍ଷାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି କଟକ ମହାନଗର ସମେତ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ। ଚଳିତ ବର୍ଷର ଏହା ଏକ ସମୟରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି। ପ୍ରବଳ ବର୍ଷା ଯୋଗୁଁ ୩ଟି ଜିଲ୍ଲାର ୩୦ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଏବେ ପାଣିରେ ବୁଡି ରହିଛି। କଟକର କିଶନନଗର ବାଲିସୁକ୍ରି ଗାଁରେ ରୋଷେଇ ଘର କାନ୍ଥ ପଡି ଦୀନବନ୍ଧୁ ମହାରଣା(୫୨) ଓ ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତ ଗ୍ରାମରେ କାନ୍ଥ ପଡ଼ିବାରୁ ଉତ୍ତମ ପରିଡ଼ା (୫୩)ଙ୍କର ମୃତ୍ୟୁ ଘଟିଛି। କାନ୍ଥ ପଡ଼ିବାରୁ ସାଲେପୁର ଓଡାସିଂହ ପଂଚାୟତର ଧନୁପଡା ଗାଁର ପ୍ରେମଲତା ପରିଡା ଗୁରୁତର ଆହତ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସେହିଭଳି ଜଗତସିଂହପୁର ଜିଲ୍ଲା ଏରସମାର ଅନ୍ଧାରି ପୋଲ ନିକଟରେ ଭିତର ଅନ୍ଧାରୀ ଗ୍ରାମର ସୂର୍ଯ୍ୟକାନ୍ତ ଦଳାଇ ନାମକ ଜଣେ ୧୦ ବର୍ଷର ବାଳକ ଭାସି ଯାଇଛନ୍ତି। ତାଙ୍କର ପତ୍ତା ମିଳୁ ନାହିଁ। କଟକ ଜିଲ୍ଲା ଟାଙ୍ଗୀସ୍ଥିତ କପିଳାସ ରୋଡ ରେଳଷ୍ଟେସନ୍‌ ନିକଟରେ ରେଳ ଧାରଣା ଦବି ଯିବା ଫଳରେ କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବୈରୀରୁ ବନ୍ଦାଳ ମଧ୍ୟରେ ଥିବା ରେଳ ଧାରଣା ଦବିଯାଇଥିଲା। ସେଠାରେ କିଛି ସମୟ ପାଇଁ ରାଜଧାନୀ ଏକ୍ସପ୍ରେସ୍‌ ଅଟକି ରହିଥିଲା। ଖବରପାଇ ରେଳ ବିଭାଗ କର୍ମଚାରୀମାନେ ପହଞ୍ଚି ମରାମତି କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। କଟକ ମହାନଗରର ଅଧା ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ୨୬୦ରୁ ଅଧିକ ପମ୍ପରେ ଜଳ ନିଷ୍କାସନ କରାଯାଉଛି। କଟକ ମହାନଗରରେ ୨୪ ଘଣ୍ଟାରେ ୧୦୫.୪ ମିମି ବର୍ଷା ରେକର୍ଡ କରାଯାଇଛି।

ଜଗତସିଂହପୁର ଜିଲ୍ଲାରେ ଏରସମା ଅଞ୍ଚଳରେ ସର୍ବାଧିକ ୪୩୫ ଓ କୁଜଙ୍ଗରେ ୩୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ଗଲା ୪୮ ଘଣ୍ଟାରେ ହାରାହାରି ୨୩୬.୧୩ ମି.ମି ବର୍ଷା ରେକର୍ଡ କରଯାଇଛି। ପାରାଦୀପରେ ସମୁଦ୍ର ଅଶାନ୍ତ ଥିବା ବେଳେ ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବନ୍ଦର ନଗରୀ ପାରାଦୀପ, କୁଜଙ୍ଗ ଓ ଏରସମାରେ ଲୋକଙ୍କ ଘରେ ପାଣି ପଶି ଥିବା ବେଳେ କେତେକ ସ୍ଥାନରେ କାନ୍ଥ ଧସିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିବା ବେଳେ ଅନେକ ସ୍ଥାନରେ ଗଛ ପଡ଼ି ଗମନାଗମନ ବାଧାପ୍ରାପ୍ତ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ ଦିନରେ ହାରାହାରି ୨୭୧.୭୬ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୨ଶହରୁ ଅଧିକ ଗାଁ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପାଣି ଘେରରେ ରହିଛି। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ପୌରାଞ୍ଚଳର ୨୧ଟି ଓ୍ଵାର୍ଡ଼ରୁ ୧୮ଟି ଓ୍ଵାର୍ଡର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଜିଲ୍ଲାପାଳ, ପୌର ପ୍ରଶାସକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ପାଣି ଘେରରେ ରହିଛି। ଜିଲ୍ଲାପାଳଙ୍କ ବାସଭବନ ପଛ ପାଖର ୩୦ ଫୁଟ ପାଚେରୀ ଭୁଶୁଡ଼ି ପଡ଼ିଛି। ବଉଳ ବିହାରରେ ରହୁଥିବା ଅତିରିକ୍ତ ଜିଳ୍ଲା ଦୌରା ଜଜ୍‌ ପ୍ରଜ୍ଞା ପାଣିଗ୍ରାହୀ ପାଣି ଘେରରେ ଫସି ରହିଥିବା ବେଳେ ଅଗ୍ନିଶମ କର୍ମଚାରୀ ପାଓ୍ଵାର ବୋଟ ଦ୍ୱାରା ତାଙ୍କୁ ଉଦ୍ଧାର କରିଥିଲେ। ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ସୂଚନା ଅନୁଯାୟୀ ଜିଳ୍ଲାରେ ପ୍ରାୟ ୭ ହଜାର ଘର ଆଂଶିକ ଅଥବା ସଂପୂର୍ଣ୍ଣ ଭାଙ୍ଗି ଯାଇଛି।

ବର୍ଷା ବିତ୍ପାତରେ କଟକ ଜିଲ୍ଲାର ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ବର୍ଷା ପାଣି ଲହଡ଼ି ମାରୁଥିବା ବେଳେ ଧାନ ଓ ପରିବା ଚାଷ ସଂପୂର୍ଣ୍ଣ ଉଜୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ନିଶ୍ଚିନ୍ତକୋଇଲି, ନେମାଳ, ସାଲେପୁର, ମାହାଙ୍ଗା ଅଂଚଳରେ ଶତାଧିକ ପରିବାର ଜଳବନ୍ଦୀ ସ୍ଥିତିରେ ରହିଥିବା ବେଳେ ସାଲେପୁର ବ୍ଲକ୍‌ ତରିତୋ ପଂଚାୟତର ଗୋଠମିରା ରାସ୍ତା ଧୋଇ ଯାଇଛି। ବାଙ୍କୀ, ଡମପଡା, ନିଆଳି, କଣ୍ଟାପଡା, ନିଶ୍ଚିନ୍ତକୋଇଲି, ସାଲେପୁର, ମାହାଙ୍ଗା, ଆଠଗଡ, ବଡମ୍ବା, ତିଗିରିଆ ତଥା ଅନ୍ୟ ଅଞ୍ଚଳରେ ପ୍ରାୟ ୧୦ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି। ଟାଙ୍ଗୀ ବ୍ଲକ୍‌ରେ ନିର୍ମାଣାଧୀନ ବିରୂପା ନଦୀବନ୍ଧ ରାସ୍ତାର ଜରିପଡା-ନପଙ୍ଗ, କଣିଛକଠାରେ ରାସ୍ତା ଧୋଇ ଯାଇଛି। କରଞ୍ଚି-ଜାମଣା ରାସ୍ତାରେ ପାଣି ଚାଲୁଛି। ଟାଙ୍ଗୀ-ଭଟ୍ଟିମୁଣ୍ଡା ରାସ୍ତାର ମେଣ୍ଢା ଖାଇ ପୋଲ ଉପରେ ଦୁଇ ଫୁଟ ପାଣି ଚାଲିଛି।

ସମ୍ବନ୍ଧିତ ଖବର