ସମ୍ବଲପୁରରେ ୨୬ ବର୍ଷର ରେକର୍ଡ ଅତିକ୍ରମ କଲା ବର୍ଷା, ୨୪ରେ ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ

ସମ୍ବଲପୁର/ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସମ୍ବଲପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବୁର୍ଲାସ୍ଥିତ ହୀରାକୁଦର ମାଷ୍ଟର୍ସ କଣ୍ଟ୍ରୋଲ ରୁମରେ ରବିବାର ୬୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଆଜି ସନ୍ଧ୍ୟା ୫ର ବୁଲେଟିନ୍‌ ଅନୁସାରେ ହୀରାକୁଦ ଡ୍ୟାମକୁ ପ୍ରତି ସେକେଣ୍ଟରେ ୧ ଲକ୍ଷ ୬୪ ହଜାର କୁସେଜ ବର୍ଷା ଜଳ ପ୍ରବେଶ କରୁଥିବା ବେଳେ ପାଓ୍ଵାର ଚେନାଲ ଓ କେନନ ଗୁଡ଼ିକ(ବରଗଡ଼, ଶାସନ ଓ ସମ୍ବଲପୁର)ରେ ୫୩୦୦ କ୍ୟୁସେଜ ଜଳ ନିଷ୍କାସିତ ହେଉଛି। ଆଜି ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୩.୫୦ ଫୁଟ୍‌ ଥିଲା। ଏହା ଆହୁରୀ ବଢ଼ିବ ବୋଲି ହୀରାକୁଦ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ସେ କହିଛନ୍ତି, ଜୁଲାଇ ୨୪ରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଡ୍ୟାମ୍‌ରେ ବର୍ଷା ଜଳ ସ୍ଥିତି ନେଇ କେତୋଟି ଗେଟ୍‌ ଖୋଲିବ ପୂର୍ବରୁ ନଦୀ କୂଳରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯିବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି ୨୬ ବର୍ଷର ରେକର୍ଡ। ପୂର୍ବରୁ ୧୯୯୨ ଅଗଷ୍ଟ ୧୯ରେ ୫୮୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସମ୍ବଲପୁରରେ ଶନିବାର ସକାଳ ୮ଟା ୩୦ରୁ ରବିବାର ସକାଳ ୮ଟା ୩୦ ମଧ୍ୟରେ ୫୧୦ ମିମି ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁରରେ ୫୦ ପ୍ରତିଶତ ଲୋକ ପାଣି ଘେରରେ ରହିଛନ୍ତି। ତିନି ହେବ ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ସମଗ୍ର ସମ୍ବଲପୁର ଜିଲ୍ଲାରେ ବର୍ଷାର ତାଣ୍ଡବ ଅଧିକ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର