ଓଡ଼ିଶା ଛାଡ଼ିଲା ମୌସୁମୀ, ଶେଷ ସପ୍ତାହରେ ପ୍ରବଳ ବର୍ଷା

ଭୁବନେଶ୍ବର: ଓଡ଼ିଶାରୁ ପ୍ରତ୍ୟାବର୍ତନ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଗତକାଲି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ମୌସୁମୀ ଫେରିଥିଲା। ଏହାର ୨୪ ଘଣ୍ଟା ପରେ ଅର୍ଥାତ୍‌ ଆଜି ପୂର୍ବାହ୍ନ ‌ସୁଦ୍ଧା ସାରା ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତନ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତନ କରିବା ପରେ ଉତ୍ତର ପୂର୍ବ ମୌସୁମୀ ବାୟୁ ଓଡ଼ିଶା ସମେତ ଦକ୍ଷିଣ ଭାରତରେ ସକ୍ରିୟ ହୋଇଛି। ଆସନ୍ତାକାଲିଠାରୁ ପୂରୁବା ପବନ ବୋହିବ। ତେଣୁ ଏବେ ରାତିର ତାପମାତ୍ରା କମିବ ନାହିଁ। ଅପରିବର୍ତ୍ତିତ ରହିବ। ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ୧୭ରେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓଡ଼ିଶା‌, ୧୮ ତାରିଖରେ ପଶ୍ଚିମ ଓଡ଼ିଶା(ବି‌ଶେଷକରି ଉତ୍ତର ପଶ୍ଚିମ ଓଡ଼ିଶା)ରେ ସ୍ଥାନେ ସ୍ଥାନେ ହାଲକା ବର୍ଷା ହୋଇପାରେ। ତେବେ ଆସନ୍ତା ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶା, ବାକି ଅଞ୍ଚଳରେ ୨୬ ଓ ୨୭ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି ‌ଯେ ସେମାନେ ମୁଗ, ବିରି ଆଦି ଫସଲ ପାଚିଲା ଅବସ୍ଥାକୁ ଆସି ଯାଇଥିଲେ ଅତିଶୀଘ୍ର ଅମଳ କରି ଦିଅନ୍ତୁ। ବର୍ଷା ପରେ ଅଣଧାନ ରବି ଫସଲ ଲଗାଇବା ପାଇଁ ପ୍ରସ୍ତୁତ ହୋଇ ଥାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା, ଛତିଶଗଡ଼, ବିଦର୍ଭ, ମରାଠାୱାଡା ସମେତ ଉତ୍ତର ବଙ୍ଗୋପସାଗରରୁ ସମ୍ପୂର୍ଣ୍ଣ ରୂପେ ମୌସୁମୀ ପ୍ରତ୍ୟାବର୍ତନ କରିଛି।

ସମ୍ବନ୍ଧିତ ଖବର