ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ସବୁସ୍ଥାନରେ କୁଆପଥରମାଡ ସହ ଝଡ଼ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳ, କେରାପୁଟ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ କୁଆପଥରମାଡ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୋମବାର ସୂଚନା ମିଳିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ତଥା ବଜ୍ରପାତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହିସବୁ ଜିଲ୍ଲାରେ କୁଆପଥର ମାଡ଼, ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏଣୁ ଏହି ସମୟରେ ବାହାରକୁ ନଯିବା ପୂର୍ବରୁ ସତର୍କ ରହିବା ପାଇଁ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱର ସମେତ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ପୂର୍ବାହ୍ନରୁ ଖରା ଓ ଅସହ୍ୟ ଗରମ ଅନୁଭୂତ ହୋଇଛି। ତେବେ ଆଗାମୀ ୨୪ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳ, କେରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ବର୍ଷା ହେଲେ ଗରମରୁ ସାମନ୍ୟ ତ୍ରାହି ମିଳି ପାରିବ।

ଅନ୍ୟପଟେ ଆଜି କେନ୍ଦୁଝରରେ ଅପରାହ୍ନ ପାଖାପାଖି ୧ଟାରୁ ଝଡ ତୋଫାନ ଆରମ୍ଭ ହୋଇଯାଇଥିଲା। ୧.୪୦ରୁ ୨.୧୦ ପର୍ଯ୍ୟନ୍ତ ପ୍ରବଳମାତ୍ରାରେ କୁଆପଥର ବର୍ଷା ହୋଇଥିଲା। ଫଳରେ ରାସ୍ତାଘାଟରେ ଫୁଲ ଭଳି କୁଆପଥର ବିଛେଇ ହୋଇପଡ଼ିଥିଲା। ପବନର ବେଗ ଅଧିକ ଥିବାରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ସହ ଅନେକ ଗଛ ଡାଳ ଭାଙ୍ଗି ପଡ଼ି ରାସ୍ତାରେ ପଡ଼ି ରହିଛି। ଏହି ସମୟରେ କେହି ଯାତ୍ରାୟାତା କର ନଥିବାରୁ କାହାରି କିଛି କ୍ଷତି ହୋଇନାହିଁ। ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ୨ଘଣ୍ଟା ହେବ କେନ୍ଦୁଝର ଅଞ୍ଚଳରେ ବିଦ୍ୟୁତ ନାହିଁ। ତେବେ କୁଆପଥରମାଡ ସହ ଝଡ଼ ବର୍ଷା ହେଉ ଥିବାରୁୁ ଏହି ସମୟରେ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର