ଅଧା ରାଜ୍ୟ ଉବୁଟୁବୁ : ବାଇଶି ପାହାଚ ଛୁଇଁଲା ପାଣି

ଭୁବନେଶ୍ୱର : ମୂଷଳଧାରାରେ ବର୍ଷା ରାଜ୍ୟରେ ଆଜି ପ୍ରଳୟ ରଚାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଦକ୍ଷିଣ, ଉପକୂଳ, ପଶ୍ଚିମ ଓଡ଼ିଶାକୁ ଘାଣ୍ଟିଦେଲାଣି। ସ୍ଥିତି ଏତେ ସାଂଘାତିକ ଯେ ବଡ଼ ବନ୍ୟାଭଳି କ୍ଷତି ଘଟାଇବା ଆରମ୍ଭ କରିଛି।

ସବୁଥର ଭଳି ଏଥର ବି ସହର ତଳି ତଥା ଉପକଣ୍ଠରେ ଥିବା ସାହି ବସ୍ତିକୁ ତ ବୁଡାଇ ଦେଇଛି, ତା ସହିତ ସହରର ପ୍ରମୁଖ ସ୍ଥାନମାନଙ୍କୁ ବି ଗିଳିଦେଇଛି। ରାସ୍ତା, ବାଡ଼, ପାଚେରି ମେଲାଇ ହଜାର ହଜାର ଘରେ ପଶି ଯାଇଛି ବର୍ଷା ଜଳ। ତିନି ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଓ କଟକରେ ବର୍ଷା ବିତ୍ପାତ ଜନଜୀବନକୁ ଦୁର୍ବିସହ କରିଦେଇଛି।

ସବୁଠାରୁ ବଡ଼ କଥା ହେଲା, ପୁରୀରେ ମହାପ୍ରଭୁଙ୍କ ତିନି ରଥ ପାଣି ଘେରରେ ରହିଛି ଓ ବାଇଶି ପାହାଚକୁ ଛୁଇଁଛି ଡ୍ରେନ୍‌ ମିଶା ବର୍ଷା ଜଳ। ଏଥସିହତ ରିପୋର୍ଟ ଲେଖା ହେବା ବେଳକୁ ବର୍ଷା ପାଣିର ଆଁ ଭିତରେ ରାଜ୍ୟର ପାଖାପାଖି ୨୦ରୁ ଅଧିକ ଜିଲ୍ଲା ପଶିଗଲାଣି। ତିନି ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିବାର ଖବର ମିଳିଛି।

ବର୍ଷା ଜଳ ଘେରରେ ଲକ୍ଷ ଲକ୍ଷ ଲୋକ ରହିଥିବା ବେଳେ ରାଜଧାନୀରେ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍‌କୁ ନିୟୋଜିତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅଳ୍ପ କିଛି ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲେ ହେଁ, ଲକ୍ଷାଧିକ ଲୋକ ରୋଷେଇ କରିନପାରି ଉପବାସରେ ରହିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲି ରବିବାର ଛୁଟି ଦିନ ସତ୍ତ୍ୱେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ।

ସରକାରୀ ରିପୋର୍ଟ ଅନୁସାରେ, ଗଜପତି, କଳାହାଣ୍ଡି, ଖୋର୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, କଟକ, ରାୟଗ଼ଡ଼ା ଜିଲ୍ଲାରେ ଭୀଷଣ ବର୍ଷା ହୋଇଥିଲା। ପୁରୀ, ବ୍ରହ୍ମଗିରି, ଥୁଆମୂଳ ରାମପୁର, ଜୁନାଗଡ, ଜଟଣୀ, େ଼ଡଲାଙ୍ଗ, ତେନ୍ତୁଳିଖୁଣ୍ଟି, ପିପିଲି, କେସିଙ୍ଗା, କାଶୀପୁର, ବୈପାରୀଗୁଡା, ନର୍ଲା, ଜୟପାଟଣା, କୋରୁକୋଣ୍ଡା, ବାରଙ୍ଗ ଓ କଲମପୁର ଭଳି ୧୬ଟି ବ୍ଲକରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପୁରୀ ସଦର ବ୍ଲକରେ ରାଜ୍ୟର ସବୁଠାରୁ ଅଧିକ ୩୨୨ ମିଲିମିଟର ବର୍ଷା ହୋଇଥିଲା। ତା ପରେ ବ୍ରହ୍ମଗିରି (୨୯୩ମିମି) ରହିଛି। ଏହାବ୍ୟତୀତ ଆହୁରି ୩୫ରୁ ଅଧିକ ବ୍ଲକ ରହିଛି, ଯେଉଁଠାରେ ୧୦୦ରୁ ୨୦୦ ମିମି ମଧ୍ୟରେ ବର୍ଷା ହୋଇଛି।

ବର୍ଷା ପ୍ରଭାବରେ ଜଳବନ୍ଦୀ ହୋଇଯାଇଥିଲା ପୁରୀ ସହର ଓ ତିନି ରଥ। ଶ୍ରୀଲୋକନାଥ ମନ୍ଦିରର ଅଧା ବୁଡିଯାଇଥିଲା ପାଣିରେ। ବଡ଼ଦାଣ୍ଡ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ଶ୍ରୀମନ୍ଦିରର ବାଇଶି ପାହାଚ, ପତିତପାବନଙ୍କ ନିକଟ ଛୁଇଁଥିଲା ଡ୍ରେନ୍‌ ଜଳ ମିଶା ବର୍ଷା ପାଣିରେ। ଲଗାଣ ବର୍ଷାରେ ବେଳାଭୂମି ମାର୍ଗ ଧୋଇ ହୋଇଯାଇଥିଲା। ସମୁଦ୍ର ଅଶାନ୍ତ ହେବା ସହିତ ତିନି ଫୁଟରୁ ଅଧିକ ଉଚ୍ଚର ଜୁଆର ମା଼଼ଡ଼ ହୋଇଥିଲା କୂଳରେ। ପୁରୀ ବାଇପାସ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଥିଲା ବେଶ୍‌ କିଛି ସମୟ ପାଇଁ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ଭୁବନେଶ୍ୱର ସ୍ଥିତି ତା ଚାହିଁ ସାଂଘାତିକ ଥିଲା। ସବୁଆଡ଼ ଜଳାର୍ଣ୍ଣବ କରିଦେଇଥିଲା। ଶହ ଶହ କାର, ମୋଟରଯାନ ଫସିଯାଇଥିଲା ବର୍ଷା ଜଳ ଭିତରେ। କଟକ ସହର ସ୍ଥିତି ନ କହିବା ଭଲ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୁଡିଗଲା। ଡ୍ରେନ୍‌, ବର୍ଷା ପାଣି ଉଭୟ ମହାନଗରକୁ ଏକାକାର କରିଦେଇଥିଲା। ରାଜଭବନ ସମେତ ଉଭୟ ମହାନଗରରେ ଅନେକ ପାଚେରି, ଘର ଭୁଶୁଡିପଡିଥିଲା।

ଏହି ତିନି ସହରର ସ୍ଥିତି ଆଜି ଧରାପକାଇ ଦେଇଥିଲା ସରକାରୀ ଅପାରଗତାକୁ। ବେଶ୍‌ କିଛି ଘଣ୍ଟା ପାଇଁ ଅସହାୟ ହୋଇପଡିଥିଲା ପ୍ରଶାସନ। ଭୁବନେଶ୍ୱର ଓ କଟକ ଲୋକେ ଛି ଛି କରିଥିଲେ ମେୟର ଓ ଉଭୟ ମହାନଗରର କମିସନରଙ୍କୁ। ଏମାନଙ୍କର ବିପର୍ଯ୍ୟୟ ମୁକାବିଲା ଯୋଜନା ତଥା ବର୍ଷା ପ୍ରସ୍ତୁତି କେତେ ଦୁର୍ବଳ, ତାହାର ଆଜି ପର୍ଦାଫାଶ ହୋଇଥିଲା।

ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗ଼ଡା, ଖୋର୍ଧା ଜିଲ୍ଲାରେ ବର୍ଷାର ତାଣ୍ଡବ ସ୍ଥାନୀୟ ଅଞ୍ଚଳର ଜନଜୀବନକୁ ଠପ୍‌ କରିଦେଇଥିଲା। କେଉଁଠି ରେଳ ଧାରଣାକୁ ବୁଡାଇ ଦେଇଥିଲା, ଆଉ କେଉଁଠି ଛୋଟ ଛୋଟ ନାଳ ଫୁଲିଯିବାରୁ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଥିଲା।

ମାଲକାନଗିରିର ସପ୍ତଧାରା ପୋଲ ଓ ମାଥିଲି ବ୍ଲକର ପଙ୍ଗମ୍‌ ପୋଲ ଉପରେ ପାଣି ଉଛୁଳିବାରୁ ଗମନାଗମନ ଠପ୍‌ ହୋଇଯାଇଥିଲା। ଝାପରା ନଦୀ ପୋଲ ଉପରେ ପାଣି ବଢିବାରୁ ଛତିଶଗଡ-ମାଲକାନଗିରି ଅଞ୍ଚଳ ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଥିଲା। ପୋଟେରୁ ବ୍ରିଜ ଉପରେ ୫ଫୁଟର ପାଣି ପ୍ରବାହିତ ହୋଇଥିଲା। ସରକାର ସ୍ୱୀକାର କରିଛନ୍ତି ଯେ ଏଠାରେ ଖଇରାପୁଟ ତହସିଲ ଅନ୍ତର୍ଗତ ମାଝୀଗୁ଼ଡାର ସୋମାରି ଖରା(୫୦) ପାଣିରେ ବୁଡିଯାଇଛନ୍ତି। ଜଳବନ୍ଦୀ ଭିତରୁ ୧୫ଜଣଙ୍କୁ ଉଦ୍ଧାର କରାଯାଇଛି।

କଳାହାଣ୍ଡିରେ ଇନ୍ଦ୍ରାବତୀରେ ବନ୍ୟା ପରିସ୍ଥିତି ସୃୃଷ୍ଟି ହୋଇଛି। ମଙ୍ଗଳପୁର ବ୍ୟାରେଜର ୫ଟି ଗେଟ୍‌ ଖୋଲାଯାଇଛି। ୫୯ ନମ୍ବର ଜାତୀୟ ରାଜପଥରେ ଦୁଇଟି ସ୍ଥାନ ଧସିଯାଇଛି। ବର୍ଷା ପାଣିରେ ଜୟପାଟଣା ଓ କଲମପୁର ରାସ୍ତା ବୁଡିଯାଇଛି। ରାୟଗଡାରେ କଲ୍ୟାଣୀ ନଦୀରେ ସୁଅ ପ୍ରଖର ହୋଇଥଛି। ବାଲୁମାସ୍କାରେ ରେଳଧାରଣା ବୁଡିଯାଇଛି। କାନ୍ଥ ଭୁଶୁଡି ୨ଜଣ ପ୍ରାଣ ହରାଇଛନ୍ତି।

ତେବେ ଜଳକା ବ୍ୟତୀତ ଅନ୍ୟ କୌଣସି ନଦୀ ବିପଦ ସଙ୍କେତ ଉପରକୁ ଯାଇନାହିଁ। ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏଠାରେ ଜଳସ୍ତର ୫.୭୮ ମିଟର ରହିଛି।କୁଶଭଦ୍ରା, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା ବଢୁଛି, କିନ୍ତୁ ବିପଦ ସଙ୍କେତର ବହୁ ତଳେ ରହିଛି।

ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୦.୨୯ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୩ ହଜାର ୭୦୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି।

ସମ୍ବନ୍ଧିତ ଖବର