୬ ଘଣ୍ଟା ବର୍ଷା କାଚିଲା : ଆଉ ୨୪ ଘଣ୍ଟା ଲାଗି ରହିବ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି। ଏହା ପ୍ରଭାବରେ ଆଜି କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱରରେ ସଂଧ୍ୟାରୁ ରାତି ୧୨ଟା ୪୦ ସୁଦ୍ଧା ୧୦୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷା ଲାଗି ରହିବ। ମଙ୍ଗଳବାର ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କଟକ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିିଜ୍ଞାନ କେନ୍ଦ୍ର। ଏନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ଏହି ବର୍ଷା ଯିବା ପରେ ଆସନ୍ତା ୧୦ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ। ସେ ପୂର୍ବାନୁମାନ କରିଛନ୍ତି ଯେ, ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଲଘୁଚାପ ମଙ୍ଗଳବାର ସକାଳେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିବ। ଏହା ଦ୍ରୁତଗତିରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବୁଧବାର ସକାଳେ ମଧ୍ୟପ୍ରଦେଶ ଉପରକୁ ଚାଲିଯିବ। ତା’ପରେ ଉତ୍ତରପ୍ରଦେଶଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଟ୍ରପ୍‌ ଲାଇନ୍‌ ସୃଷ୍ଟି କରିବ। ଯାହା ପ୍ରଭାବରେ ୧୦ ତାରିଖ ବେଳକୁ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି ଯେ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟମରୁ ଭାରି ବର୍ଷା ଲାଗିରହିବ। ପଶ୍ଚିମ ଓଡ଼ିଶାରେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଚିଲିକାର ଉତ୍ତରରୁ ଯାଜପୁର ପର୍ଯ୍ୟନ୍ତ ଏବଂ ପଶ୍ଚିମ ଓଡ଼ିଶାରେ ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଭାରି ବର୍ଷା ମଧ୍ୟ ହୋଇପାରେ। ୮ ତାରିଖଠାରୁ ବର୍ଷା କମିଯିବ। ଦକ୍ଷିଣ ଓଡ଼ିଶାରେ ପାଗ ଖରାଟିଆ ରହିବ। ତେବେ ୧୦ ତାରିଖର ଘୂର୍ଣ୍ଣିବଳୟ ପରେ ବର୍ଷା ପୁଣି ଲେଉଟିବ। ବିଶେଷକରି ଉତ୍ତର ଓଡ଼ିଶାରେ ୧୧ରୁ ବର୍ଷାର ପ୍ରକୋପ ବଢ଼ିବ। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ଆଜି ରାତିରେ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ବାରିପଦାରେ ସର୍ବାଧିକ ୯୭ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୪୫.୬ ମିମି, କଟକରେ ୨୭, ପାରାଦୀପରେ ୩୫.୭, ଭୁବନେଶ୍ୱରରେ ୧୬.୨, କେନ୍ଦୁଝରରେ ୫୪ ମିମି ବର୍ଷା ରେକର୍ଡ କରାଯାଇଛି।

ସଂଧ୍ୟାରୁ ବର୍ଷା ଲାଗି ରହିଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପାଣିର ସୁଅ ଛୁଟୁଛି। କେତେକ ସ୍ଥାନରେ ଘରେ ପାଣି ପଶିଯାଇଛି। ବର୍ଷା ଲାଗିରହିଥିବାରୁ ରାଜଧାନୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ରାସ୍ତାରେ ପାଣିର ସୁଅ ଛୁଟୁଥିବାରୁ ଗାଡ଼ି ଚଳାଚଳ ଏକରକମ ବନ୍ଦ ହୋଇଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ସଂଧ୍ୟାରୁ ରାତି ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୮୧.୮ମିମି ବର୍ଷା ହୋଇଛି। ଯାହା ରାଜ୍ୟରେ ସର୍ବାଧିକ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ପୁଣି ବର୍ଷା ଭୟ ଘାରିଛି।

ଗତ ଥର ଭଳି ଯଦିଓ ଆଜି ସେହି ପରିମାଣରେ ବର୍ଷା ହୋଇନି କିନ୍ତୁ ଗଳି କନ୍ଦିରେ ଅଣ୍ଟେ ଉଚ୍ଚରେ ପାଣି ଚାଲୁଛି। ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ବମିଖାଲ, ଗୌରୀ ଗାର୍ଡେନ୍‌, ଜଗମୋହନ ନଗର, ମଲ୍ଲିକ କମ୍ପ୍ଲେକ୍ସ, ଶାନ୍ତିନଗର, ନନ୍ଦନ ବିହାର, ଭିଏସ୍‌ଏସ୍‌ ନଗର, ବରମୁଣ୍ଡା, ବାଲିପାଟ ବସ୍ତି, ଏଲ୍‌ଆଇସି କଲୋନି, ଧିରିକୁଟି ବସ୍ତି, ପଦ୍ମାବତୀ ବିହାର, ଆଦିତ୍ୟ ଏନକ୍ଲେଭ୍‌, ଶ୍ରୀରାମ ନଗର, ସମେଇଗାଡ଼ିଆ ପଟାଦେଇ ବସ୍ତି, ପାଇକ ନଗର ଏବଂ ରାଧାକ୍ରିଷ୍ଣ ଲେନ୍‌, ନୂଆପଲ୍ଲୀ, ନୂଆପଲ୍ଲୀ ଏକାମ୍ର ପାର୍କ ରାସ୍ତା, ଜାଗମରା, ଚିନ୍ତାମଣିଶ୍ୱର ଆଦି ଅଞ୍ଚଳରେ ବର୍ଷା ପାଣି ଅଣ୍ଟେ ଉଚ୍ଚରେ ଚାଲିବା ସହ ଲୋକଙ୍କ ଘରେ ପଶିଛି। ରାତି ଅଧରେ ଘରେ ପାଣି ପଶିଯିବାରୁ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି।

ବିଏମ୍‌ସି ପକ୍ଷରୁ ଡ୍ରେନ୍‌ ସଫେଇ ଜୋରଦାର ହୋଇଥିଲେ ହେଁ କେତେକ ସ୍ଥାନରେ ପୂର୍ବଭଳି ସମସ୍ୟା ଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରିନି। କେତେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିବା ପରେ ଏବଂ ଘରେ ପାଣି ପଶିବା ଭୟରେ ଲୋକମାନେ ଭୁବନେଶ୍ୱର ଅପରେସନ୍‌ ସେଣ୍ଟରର ଟୋଲ୍‌ ଫ୍ରି ନମ୍ବରକୁ କଲ୍‌ କରି ଅଭିଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର