ତିତ୍‌ଲି ପ୍ରଭାବରେ ଓଡ଼ିଶାରେ ବନ୍ୟା ସାଙ୍ଗକୁ ପ୍ରବଳ ବର୍ଷା ଜାରି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ତିତ୍‌ଲି ଗତକାଲି ସକାଳେ ଭୂଭାଗ ଛୂଇଁବା ସହିତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚନା କରିଛି। ଇତିମଧ୍ୟରେ ବାତ୍ୟା ତିତ୍‌ଲି ଓଡ଼ିଶା ଅତିକ୍ରମ କରିଥିଲେ ମଧ୍ୟ ଏହାର ପ୍ରଭାବରେ ଗତକାଲିଠାରୁ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ରାତିତମାମ ବର୍ଷା ବର୍ଷୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଛାଡିବାର ନା ଧରୁନାହିଁ। ଆଜି ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଉଠିଛି।

‘ତିତ୍‌ଲି’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ତିତ୍‌ଲି ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ଭଦ୍ରକ ଓ ବାଲେଶ୍ୱର ସାମିଲ ରହିଛି।

ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିସହିତ ରାଜ୍ୟର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠାରୁ ଲାଗି ରହିଥିବା ବର୍ଷା ରାତି ତମାମ ବର୍ଷିବାରେ ଲାଗିଛି। ଆଜି ସକାଳୁ ଆକାଶ ଘୋର ଅନ୍ଧକାର ସହିତ ମେଘ ଢାଙ୍କି ରହିଛି। ତୁହାକୁ ତୁହା ବର୍ଷା ମଧ୍ୟ ବର୍ଷି ଚାଲିଛି। ତିତ୍‌ଲି ପ୍ରଭାବରେ ଅନେକ ନଦୀରେ ବନ୍ୟା ଆସିବା ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ଅଞ୍ଚଳରେ ରାସ୍ତାଘାଟ ବୁଡି ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ଏପରି ସ୍ଥିତିରେ ପୁଣି ଲାଗିରହିଥିବା ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ଗମ୍ଭୀର କରିବାରେ ଲାଗିଛି। ବାତ୍ୟା ପରେ ବନ୍ୟା ଓ ବର୍ଷା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି।

ସମ୍ବନ୍ଧିତ ଖବର