୧୪ରୁ ପ୍ରବଳ ବର୍ଷା, ୧୬ ଯାଏ ଲାଗି ରହିବ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୪୮ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। କିନ୍ତୁ ୧୫ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀ, ଜଳ ଭଣ୍ଡାର ଓ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ହୀରାକୁଦରେ ଦୁଇଟି ଗେଟ୍‌ ଖୋଲା ରହିଥିବାବେଳେ ୪୫,୬୬୭ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ହୀରାକୁଦରେ ଜଳସ୍ତର ୬୧୩.୫୦ ଥିବାବେଳେ ୮୧,୭୭୭ କ୍ୟୁସେକ୍‌ ପାଣି ପଶୁଛି। ବର୍ଷା ଲାଗି ରହିଲେ ସ୍ଥିତି ସଙ୍ଗିନ୍‌ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୨ ଓ ୧୩ ତାରିଖରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଖୋର୍ଦ୍ଧା, କେନ୍ଦୁଝରର କେତେକ ସ୍ଥାନରେ ବର୍ଷା ଲାଗି ରହିବ। କିନ୍ତୁ ୧୪ ଓ ୧୫ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଲାଗି ରହିବ। ୧୪ତାରିଖରେ ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାସହ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀରରେ ବି ବର୍ଷା ହେବ। କିନ୍ତୁ ୧୬ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ାର କେତେକ ସ୍ଥାନରେ ପ୍ରବଳର ବର୍ଷା ହେବ। ୧୭ତାରିଖ ବେଳକୁ ପାଗ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଭବାନିପାଟଣାରେ ସର୍ବାଧିକ ୨୫ମିମି, କୋରାପୁଟରେ ୧୩.୮, ମାଲକାନଗିରିରେ ୯.୮, ଭୁବନେଶ୍ୱରରେ ୧୧.୭, ଟିଟିଲାଗଡ଼ରେ ୬, ଫୁଲବାଣୀରେ ୧, ଅନୁଗୁଳରେ ୦.୬ମିମି ବର୍ଷା ହୋଇଛି।

ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଛି। କୌଣସି ସ୍ଥାନରେ ନଦୀ ବିପଦ ସଂକେତ ଟପି ନଥିବାବଳେ ଏହା ପାଖାପାଖି ରହିଛି। ଆଜି ସଂଧ୍ୟା ୬ଟା ସୁଦ୍ଧା ବ୍ରାହ୍ମଣୀ, ଦେବୀ ଓ କୁଶଭଦ୍ରାକୁ ଛାଡ଼ିଦେଲେ ବାକି ନଦୀରେ ଜଳ ସ୍ତର କମୁଛି। ମହାନଦୀରେ ନରାଜ ଠାରେ ପାଣି ସ୍ତର ୨୪.୧୩ ମିଟର ଥିବାବେଳେ, ଦେବୀରେ ଆଳିପିଙ୍ଗଳରେ ୫.୯୨, କୁଶଭଦ୍ରାରେ ନିମାପଡ଼ାରେ ୪.୦୨, ଇବ୍‌ରେ ସୁନ୍ଦରଗଡ଼ରେ ୨୧୭.୩୨ମି, ବ୍ରାହ୍ମଣୀରେ ପାନପୋଷରେ ୧୭୨.୩୩, ଜେନାପୁରରେ ୧୯.୧୬, ବୈତରଣୀରେ ଆନନ୍ଦପୁରରେ ୩୪.୮୪, ଆଖୁଆପଦାରେ ୧୭.୧୬, ବୁଢ଼ାବଳଙ୍ଗରେ ଜାତୀୟ ରାଜପଥ ୫ ନିକଟରେ ୩.୩୮, ସୁବର୍ଣ୍ଣରେଖାରେ ଜାମଶୋଳାଘାଟରେ ୪୫.୪୮, ରାଜଘାଟରେ ୬.୮୯, ବଂଶଧାରାରେ ଗୁଣୁପୁରରେ ୮୦.୮୪, କାଶୀନଗରରେ ୫୩.୨୧, ଋଷିକୂଲ୍ୟାରେ ପୁରୁଷୋତ୍ତମପୁରରେ ୧୨.୩୫, ଜଳକାରେ ୪.୭୨ମିଟର ରହିଛି।

କେବଳ ଓଡ଼ିଶା ନୁହେଁ ଅନ୍ୟ ୧୫ଟି ରାଜ୍ୟରେ ମଧ୍ୟ ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡ଼ିକ ହେଲା, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକ, ତାମିଲନାଡ଼ୁ, ସିକିମ ଏବଂ କେରଳ। ଏହିସବୁ ରାଜ୍ୟ ସରକାରଙ୍କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଇତିମଧ୍ୟରେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଚଳିତ ବର୍ଷା ଋତୁରେ ବର୍ଷା ବିତ୍ପାତ ଯୋଗୁଁ ବର୍ତମାନ ସୁଦ୍ଧା ୭୧୮ ଜଣ ପ୍ରାଣ ହରାଇଲେଣି। କେରଳରେ ସର୍ବାଧିକ ୧୭୮ ଜଣ ପ୍ରାଣ ହରାଇଥିବା ବେଳେ ୟୁପିରେ ୧୭୧, ପଶ୍ଚିମ ବଙ୍ଗରେ ୧୭୦ ଏବଂ ମହାରାଷ୍ଟ୍ରରେ ୧୩୯ ଜଣ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର