ବର୍ଷା ଆହୁରି ୨୪ ଘଣ୍ଟା

ଭୁବନେଶ୍ୱର : ଗତକାଲି ବଙ୍ଗୋପ ସାଗରରେ ଥିବା ବେଳେ ସ୍ପଷ୍ଟଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଥିଲା। ଏହା ପାରାଦୀପ ଆଖପାଖ ଦେଇ ସ୍ଥଳଭାଗକୁ ଛୁଇଁଥିଲା। ଏହାର ପ୍ରଭାବରେ ଗତକାଲି ସକାଳୁ ରାଜ୍ୟ ସାରା ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା। ଆଜି ସନ୍ଧ୍ୟା ବେଳକୁ ଏହା ଝାଡ଼ଖଣ୍ଡ ସୀମାକୁ ମୁହାଁଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗତ ଦୁଇଦିନ ଭଳି ଉପକୂଳରେ ପବନର ବେଗ ଅଧିକ ଥିବାରୁ ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ମନା କରାଯାଇଛି। ଦୁଇଦିନର ଲଗାଣ ବର୍ଷା ଫଳରେ ମୟୂରଭଞ୍ଜର ବାଲିମୁଣ୍ଡଳୀରେ ସର୍ବାଧିକ ୨୨୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷାଜଳ ପଶି କେତେକ ନଦୀଜଳ ସ୍ତର ବଢ଼ୁଥିବାରୁ ଏହା ଚିନ୍ତାର କାରଣ ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁସାରେ ଗତକାଲି ସନ୍ଧ୍ୟା ସାଢ଼େ ୭ଟାରୁ ସାଢ଼େ ୮ଟା ମଧ୍ୟରେ ଅବପାତଟି ଓଡ଼ିଶା ଭିତରକୁ ପ୍ରବେଶ କରିଥିଲା। ଏହା ଉପକୂଳ ନିକଟତର ହେଉଥିବା ବେଳେ ଏହାର ପ୍ରଭାବରେ ଗତକାଲି ସକାଳୁ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବୁଧବାର ରାତିରୁ ପ୍ରବଳ ବର୍ଷା ହୋଇଥିଲା। ଗତକାଲି ସକାଳୁ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଏହାର ଆଖପାଖ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବି ବର୍ଷା ହୋଇଥିଲା। ସାରା ଓଡ଼ିଶାରେ ଊଣାଅଧିକେ ବର୍ଷା ହୋଇଛି। ଆଜି ସନ୍ଧ୍ୟାରେ ବି ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ତେବେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିବ। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବି କମିପାରେ। କିନ୍ତୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ରହୁଥିବାରୁ କିଛି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ।

ଅବପାତ ସଂପର୍କରେ ଡ. ସାହୁ କହିଛନ୍ତି ଯେ ଆଜି ସନ୍ଧ୍ୟା ସୁଦ୍ଧା ଏହା ଚାନ୍ଦବାଲିରୁ ଉତ୍ତର ଦିଗରେ ୧୬୦ କି.ମି. ଦୂର ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମା ଏବଂ ପଶ୍ଚିମବଙ୍ଗ ଗାଙ୍ଗେୟ ଅବବାହିକା ନିକଟରେ ରହିଛି। ଏହା ଜାମସେଦ୍‌ପୁର ଆଡ଼କୁ ମୁହାଁଇଥିବା ସେ ପୂର୍ବାନୁମାନ କରିଛନ୍ତିି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପକୁ ଫେରିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଓଡ଼ିଶାରୁ ଏହା ଦୂରେଇ ଯିବା ସତ୍ତ୍ୱେ ସମୁୁଦ୍ର ଅଶାନ୍ତ ରହିଛି। ସେଠାରେ ପବନର ବେଗ ଘଣ୍ଟାକୁ ୪୫ରୁ ୫୫ କି.ମି. ଏବଂ ସର୍ବାଧିକ ୬୫ କି.ମି. ବେଗରେ ବହୁଥିବାର ଲକ୍ଷ୍ୟ କରାଯାଇଛି। ଏଣୁ ଗତକାଲିଠାରୁ ଉଭୟ ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ଜାରି କରାଯାଇଥିବା ୩ ନମ୍ବର ବିପଦ ସଙ୍କେତ ଏବେ ବି ବଳବତ୍ତର ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି।

ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ମୁତାବକ ବର୍ଷାଜଳ ପଶି ୬ଟି ନଦୀର ଜଳସ୍ତର ୯ଟି ସ୍ଥାନରେ ବଢ଼ୁଛି। ବଂଶଧାରା ନଦୀର ଜଳସ୍ତର ଗୁଣୁପୁର ଏବଂ କାଶୀପୁରରେ ବିପଦସଂଙ୍କେତ ଟପିଛି। ଗୁଣୁପୁରରେ ବିପଦସଂକେତ ସ୍ତର ୮୪ ମିଟର। ଆଜି ସନ୍ଧ୍ୟା ୯ଟା ବେଳକୁ ଏହାର ଜଳସ୍ତର ୮୪.୧୨ ମିଟର ରହିଛି। ତେବେ ସନ୍ଧ୍ୟା ୮ଟା ବେଳେ ସେଠାରେ ଜଳସ୍ତର ଥିଲା ୮୪.୧୫ ମିଟର। କାଶୀପୁରରେ ବଂଶଧାରା ନଦୀର ବିପଦସଂଙ୍କେତ ସ୍ତର ୫୪.୬୦ ମିଟର। ରାତି ୯ଟା ବେଳକୁ ସେଠାରେ ବିପଦସଂକେତ ଟପି ୫୫.୬୫ ମିଟରରେ ପହଞ୍ଚିଛି। ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ରାଜଘାଟରେ ବଢ଼ୁଛି। ଜଳକା ନଦୀ ବି ବିପଦସଂକେତ ଊର୍ଦ୍ଧ୍ୱରେ ବହୁଛି। ସେହିପରି ବୈତରଣୀ ନଦୀର ଜଳସ୍ତର ଆଖୁଆପଦାରେ, ଏନ୍‌.ଏଚ୍‌-୫ରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ୁଥିବା ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ଜଣାଇଛି।

ପାଣିପାଗ କେନ୍ଦ୍ର ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲିମୁଣ୍ଡଳୀ ପରେ ଟିକରପଡ଼ାରେ ୨୧୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି ବାଲେଶ୍ୱରର ଜୟପୁରରେ, ତିର୍ତୋଲରେ ୨୦୦ ମି.ମି., ଗୋପରେ ୧୯୦ ମି.ମି., ଟାଙ୍ଗୀରେ ୧୮୦ ମି.ମି., ରେମୁଣା, ପିପିଲି, ବ୍ରହ୍ମଗିରିରେ ୧୭୦ ମି.ମି., ଚଣ୍ଡିଖୋଲ, ପୁରୀରେ ୧୬୦ ମି.ମି., ଜୟପୁର, ବାଲେଶ୍ୱର, ସୋରରେ ୧୫୦ ମି.ମି., ବାଣପୁର, ରଣପୁର, ନୀଳଗିରି, କାକଟପୁରରେ ୧୪୦ ମି.ମି., ବୋଲଗଡ଼, ନିମାପଡ଼ାରେ ୧୩୦ ମି.ମି., କୃଷ୍ଣପ୍ରସାଦ, ଆଳିପିଙ୍ଗଳ, ସତ୍ୟବାଦୀ, ଚାନ୍ଦବାଲି, ବନ୍ତ, ଚନ୍ଦନପୁର, ବରୀରେ ୧୨୦ ମି.ମି., ବାଲେଶ୍ୱରର ଏନ୍‌.ଏଚ୍‌.-୫, ରାଜକନିକା, ଦୈତାରି, ବିଞ୍ଝାରପୁର, ଉଦଳ, ନୂଆଗଡ଼, ବାଲିକୁଦା, ଜଗତ୍‌ସିଂହପୁର, କଣ୍ଟାପଡ଼ା, ମୋହନାରେ ୧୧୦ ମି.ମି., ହିନ୍ଦୋଳରେ ୧୦୦ ମି.ମି., ଭୁବନେଶ୍ୱରରେ ୮୨.୨ ମି.ମି., ବାରିପଦାରେ ୭୦.୪ ମି.ମି., କଟକରେ ୬୦ ମି.ମି. ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର