ବର୍ଷିବ ଆଉ ଦୁଇ ଦିନ, ପଶ୍ଚିମ ଓଡ଼ିଶାରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ଆଉ ଦୁଇଦିନ ବର୍ଷା ଜାରି ରହିବ। ସେପ୍‌ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। ଆସନ୍ତା ୧ରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ୨ରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପ୍‌ଟେମ୍ବର ୧ ତାରିଖରେ ବଙ୍ଗୋପ ସାଗରର ଉତ୍ତରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଯାହା ସୂଚନା ଦେଇଥିଲା, ତାହା ଟଳି ଯାଇଛି। ମାତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଦିଗକୁ ମନ୍‌ସୁନ୍‌ ଟ୍ରପ ଜାରି ରହିଥିବାରୁ ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ରାଜ୍ୟର ବିଶେଷକରି ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିଥିଲା। ଉତ୍ତର ଓ ପୂର୍ବ ଓଡ଼ିଶାରେ ପାଗ ମେଘୁଆ ରହିଥିଲା, ମାତ୍ର ବର୍ଷା ହୋଇ ନ ଥିଲା। ପଶ୍ଚିମ ଓଡ଼ିଶାର ସୋନପୁର ଜିଲ୍ଲାରେ ଆଜି ସର୍ବାଧିକ ୬୧ ମିମି ବୃଷ୍ଟିପାତ ହୋଇଥିବାବେଳେ ସୁନ୍ଦରଗଡ଼ରେ ୧୬ ମିମି, ସମ୍ବଲପୁରରେ ୩୭ ମିମି, ଝାରସୁଗୁଡ଼ାରେ ୪୧ ମିମି, ପାରାଦୀପରେ ୩୫ ମିମି, ଭୁବନେଶ୍ୱରରେ ୨୮ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର