୨୪ ଘଣ୍ଟା ପ୍ରବଳ ବର୍ଷା

୫ ଜିଲ୍ଲାରେ ଏବେ ବି ନିଅଣ୍ଟିଆ ସ୍ଥିତି, ଉପକୂଳ ଓ ଉତ୍ତରରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ବର : ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁ ପର୍ଯ୍ୟନ୍ତ ଏକ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବଲାଙ୍ଗିର, ସୋନପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି ଆକଳନ କରାଯାଇଛି ଯେ ୨୨ ତାରିଖ ମଧ୍ୟାହ୍ନ ସୁଦ୍ଧା କଟକ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳ ବର୍ଷା ହେବ। ଉପକୂଳ ସମେତ ଉତ୍ତର କେନ୍ଦ୍ରୀୟ ଓଡ଼ିଶାରେ ଝଡ଼ତୋଫାନ ହେବାର ସମ୍ଭାବନା ଅଧିକ ରହିଛି। ତେବେ ଏହାପରେ ପାଗରେ ବଡ଼ଧରଣର ପରିବର୍ତନ ଦେଖାଦେବ। ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଏବେ ବି ରାଜ୍ୟର ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗିରହିବ। ଦେବଗଡ଼ରେ ସବୁଠାରୁ ସଙ୍ଗିନ ସ୍ଥିତି ଲାଗିରହିଛି। ଜୁନ୍‌ ୧ରୁ ଅଗଷ୍ଟ ୨୧ ମଧ୍ୟରେ ଏହି ଜିଲ୍ଲାରେ ୩୩.୫ ପ୍ରତିଶତ କମ୍‌ ବର୍ଷା ହୋଇଛି। ‌ସେହିପରି ଅନୁଗୁଳରେ ୨୪.୬, ମୟୂରଭଞ୍ଜରେ ୨୧.୬, କେନ୍ଦୁଝରରେ ୨୨୧.୬ ଓ ସୁନ୍ଦରଗଡ଼ରେ ୨୧.୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ଝାରସୁଗୁଡ଼ାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ୨୦ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। କେ‌ତେକ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ହୀରାକୁଦରେ ସର୍ବାଧିକ ୪୨ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୩୩.୨, ସମ୍ବଲପୁରରେ ୨୬.୧, ତାଳଚେରରେ ୨୪, ଚାନ୍ଦବାଲିରେ ୧୦.୨, ଅନୁଗୁଳରେ ୯.୬, କଟକରେ ୯.୪, ଭବାନୀପାଟଣାରେ ୯.୨ ମିମି ବର୍ଷା ‌ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର