ଉପକୂଳ, ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ : ଭୁବନେଶ୍ୱରର ସବୁ ସ୍କୁଲ ଆଜି ବନ୍ଦ, ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ବି ଛୁଟି

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଘଣ୍ଟା ପ୍ରତି ମାତ୍ର ୩ କିମି ବେଗରେ ଏହା ଏବେ ଉତ୍ତର ପୂର୍ବ ଓଡ଼ିଶା ଦେଇ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଅଗ୍ରସର ହେବ। ଅବପାତ ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଛୋଟ ଛୋଟ ପିଲାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ୧୫୦ରୁ ଅଧିକ ମିମି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଯେଉଁଥିପାଇଁ ଶୁକ୍ରବାର ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି।

ଅବପାତ ପ୍ରଭାବରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶା ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୩୫ରୁ ୪୫ କିମି ବେଗରେ ପବନ ବୋହିବ। ଗୋଟିଏ ଦୁଇଟି ସ୍ଥାନରେ ପବନର ବେଗ ୬୦ରୁ ୭୦ କିମି ପହଞ୍ଚିପାରେ। ତାହାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅବପାତର ବେଗ ମନ୍ଥର ହୋଇଥିବାରୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ପାରାଦୀପ, କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର ଯାଜପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଧା, ପୁରୀ, ବୌଦ୍ଧରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଅବପାତ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ। ସନ୍ଧ୍ୟା ସୁଦ୍ଧା ଛତିଶଗଡ଼ ଅତିକ୍ରମ କରି ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ପ୍ରଭାବରେ ଶୁକ୍ରବାର ଭୋର ସମୟରେ ଭୁବନେଶ୍ୱର ଓ ପଶ୍ଚିମ ଓଡ଼ିଶାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପୂର୍ବ ରାଜସ୍ଥାନଠାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ମନ୍‌ସୁନ୍‌ ଟ୍ରପ୍‌ ସୃଷ୍ଟି ହୋଇଛି। ତେଣୁ ବର୍ଷା କିଛି ସ୍ଥାନରେ ଲାଗି ରହିବ। ଆସନ୍ତାକାଲି ପରେ ବର୍ଷା କମିବ। ୯ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଉଛି ଯେ ଗୁରୁବାର ରାତି ସାରା ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଭୁବନେଶ୍ୱରରେ ୧୦୦ରୁ ୧୫୦ ମିମି ବର୍ଷା ହୋଇପାରେ। ୯ରୁ ୧୦ ତାରିଖ ବେଳକୁ ଅବପାତ ଉତ୍ତର ପ୍ରଦେଶ ଆଡ଼କୁ ଯିବ। ଓଡ଼ିଶାରେ କମିଯିବ। ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର