ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୧୨ତାରିଖରୁ ରାଜ୍ୟବ୍ୟାପୀ ବର୍ଷା ଆରମ୍ଭ ହେବା। ୧୫ତାରିଖ ପର୍ଯ୍ୟନ୍ତ ବର୍ଷା ଭିଜାଇବ। ୧୬ତାରିଖ ଆଡ଼କୁ ବର୍ଷା ସାମାନ୍ୟ ହ୍ରାସ ଘଟିବ। କେଉଁଝର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୩ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମାତ୍ର ପୁରୀ, ଖୋର୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନୁଗୁଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଝାଡଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆଜି ଦିନଭରି ମେଘୁଆ ପାଗ ରହିଥିଲା। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ମାଲକାନାଗିରିରେ ସର୍ବାଧିକ ୧୮.୪ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରଗଡ଼ରେ ୧୩.୫ ମି.ମି, ସମ୍ବଲପୁରରେ ୧୧.୮ ମି.ମି ଓ ପାରାଦୀରେ ୧୦.୪ ମି.ମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର