ଘଷି ହୋଇ ଯିବ ବୁଲ୍‌ବୁଲ୍ : ଆଜିଠାରୁ ଉପକୂଳରେ ବର୍ଷା, ୯ରେ ପ୍ରବଳ ବର୍ଷିବ, ପବନର ବେଗ ୯୦ କିଲୋମିଟର ଛୁଇଁପାରେ

ପାରାଦୀପଠାରୁ ୧୦୦ କିଲୋମିଟର ଦୂରରେ ଯିବ

ମାଟି ଘର ଭାଙ୍ଗିବ, ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ଭୟ
ସରକାର ପ୍ରସ୍ତୁତ, ୬ ଜିଲ୍ଲାରେ ଓଡ୍ରାଫ୍,ଏନଡିଆର୍‌ଏଫ୍

ଭୁବନେଶ୍ବର : ବାତ୍ୟା ‘ବୁଲ୍‌ବୁଲ୍‌’ ଧୀରେ ଧୀରେ ଭୀଷଣ ରୂପ ଧାରଣ କରି ଆଗକୁ ବଢ଼ିବା ଆରମ୍ଭ କରିଛି। ଓଡ଼ିଶାରେ ମାଡ଼ କରିବାର ସମ୍ଭାବନା ଆପାତତଃ ଆଉ ନାହିଁ। କିନ୍ତୁ ଓଡ଼ିଶା ଉପକୂଳକୁ ଘଷି େହାଇ ବାତ୍ୟା ଆଗକୁ ବଢ଼ିବ େବାଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୮ରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୬୦ରୁ ୮୦ କିମି ବେଗରେ ପବନ ବହିପାରେ। ସ୍ଥଳ ବିଶେଷରେ ପବନ ୯୦ କିମି ବେଗରେ ବି ଝଟକା ଦେବ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଉପକୂଳବର୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ସତର୍କ କରାଇଛନ୍ତି। ଅନ୍ୟପଟେ ବାତ୍ୟାର ଭୟାବହତା େନଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପକୂଳବର୍ତୀ ଅଞ୍ଚଳ ଓ ଚାଷୀ ଆତଙ୍କିତ େହାଇପଡ଼ିଲେଣି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ ବାତ୍ୟା ‘ବୁଲ୍‌ବୁଲ୍‌’ ଗୁରୁବାର ରାତିରେ ଭୀଷଣ ରୂପ ଧାରଣ କରିଛି। ରିପୋର୍ଟ ଲେଖା େହବା ବେଳକୁ ଏହା ପାରାଦୀପଠାରୁ ୪୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜଠାରୁ ୬୦୦ ଓ ବାଂଲାଦେଶର ଖେପୁପାରାଠାରୁ ୬୯୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ଶୁକ୍ରବାର ସକାଳଠାରୁ ପୂର୍ବକେନ୍ଦ୍ରୀୟ ବଙ୍ଗୋ‌ପସାଗରରେ ୭୦ରୁ ୯୦ କିମି ବେଗରେ ପବନ ବହିବ। ଧୀରେ ଧୀରେ ଏହା ୧୦୦ରୁ ୧୧୦ କିମି ପର୍ଯ୍ୟନ୍ତ ମଧ୍ୟ ବଢ଼ିପାରେ। ୯ ତାରିଖ ବେଳକୁ ବାତ୍ୟାସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ଛୁଇଁ ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିକୁ ରଖି ଓଡ଼ିଶା ସମେତ ପଶ୍ଚିମବଙ୍ଗ ପାଇଁ ସତର୍କ ସୂଚନା ଜାରି ହୋଇଛି।

୮ ତାରିଖ ତଥା ଶୁକ୍ରବାର ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରୁ ଭଦ୍ରକ ଜିଲ୍ଲା ପର୍ଯ୍ୟନ୍ତ ଠାଏ ଠାଏ ପ୍ରବଳ ବର୍ଷା ହେବ। ୯ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରରେ ମଧ୍ୟମ ଧରଣର ଓ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ସେହିପରି ୮ ତାରିଖ ଅପରାହ୍ନରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ବର, ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ୬୫ କିମି ଛୁଇଁପାରେ। ୯ ତାରିଖ ବେଳକୁ ପବନର ବେଗ ବଢ଼ିବ। ଜଗତ୍‌ସିଂହପୁର, େକନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ। ସ୍ଥଳ ବିଶେଷରେ ଏହା ୯୦ କିମି ଯାଏ ପହଞ୍ଚିବ। ୧୦ ତାରିଖରୁ ପବନର ବେଗ ଧୀରେ ଧୀରେ ହ୍ରାସ ପାଇବ। ୮ ଓ ୯ ତାରିଖରେ ପୁରୀ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ୪୦ରୁ ୬୦ କିମି ବେଗରେ ପବନ ହେବ ବୋଲି ଆକଳନ କରାଯାଇଛି।

ପାଣିପାଗ ବିଭାଗ ଦର୍ଶାଇଛି ଯେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଯୋଗୁଁ ମାଟି ଘର ଭାଙ୍ଗିବାର ଆଶଙ୍କା ରହିଛି। ଘରର ଆଜବେଷ୍ଟସ୍‌ ପ୍ରତି ବିପଦ ରହିଛି। ବିଦ୍ୟୁତ୍‌ ଓ ଯୋଗାଯୋଗର ମାଧ୍ୟମ କିଛି ମାତ୍ରାରେ ପ୍ରଭାବିତ ହୋଇପାରେ। ମାଟି ଓ ପକ୍କା ରାସ୍ତା ଉପରେ ବି ପ୍ରଭାବ ପଡ଼ିବ। ଗଛ ଡାଳ ଭାଙ୍ଗିବା ସହ କଦଳୀ, ଅମୃତଭଣ୍ଡା ପରି ଗଛ ଭାଙ୍ଗିବାର ସମ୍ଭାବନା ଅଧିକ। ଏହାଛଡ଼ା ଉପକୂଳ ଓଡ଼ିଶାରେ ଫସଲ ନଷ୍ଟ ହେବ। ୮ ତାରିଖଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ବାତ୍ୟା‌ ସମୟ‌ରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରକୂଳ ଭ୍ରମଣ ଉପରେ ମଧ୍ୟ ରୋକ୍‌ ଲଗାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ବୁଲ୍‌ବୁଲ୍ ଅଧିକ ଘନୀଭୂତ େହାଇ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ େହବ। ୯ ତାରିଖ ମଧ୍ୟାହ୍ନ ବେଳକୁ ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଧିକ। ତେବେ ଏହା ପରଠାରୁ ବୁଲ୍‌ବୁଲ୍ କ୍ରମଶଃ ଦୁର୍ବଳ ହେବ। ୧୦ ତାରିଖ ଦିନ ପଶ୍ଚିମବଙ୍ଗର ସାଗର ଦ୍ବୀପରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ଓଡ଼ିଶାରେ ଏହାର ପ୍ରଭାବ ସଂପର୍କରେ ଡ. ପଶୁପାଳକ କହିଛନ୍ତି ଯେ ୮ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ େହାଇଯିବ ଓ ୯ ତାରିଖ ମଧ୍ୟାହ୍ନ ସୁଦ୍ଧା ସର୍ବାଧିକ ବର୍ଷା େହବ। ପୁରୀ, ଜଗତସିଂହପୁର ଓ େକନ୍ଦ୍ରାପଡ଼ାରେ ୮ ତାରିଖରେ ବର୍ଷା େହବ। କିନ୍ତୁ ୯ ତାରିଖ ମଧ୍ୟାହ୍ନ ବେଳକୁ ଏହି ତିନି ଜିଲ୍ଲା ସମେତ, େଖାର୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବରରେ ମଧ୍ୟ ବର୍ଷା ହେବ। ୮ ତାରିଖ ସନ୍ଧ୍ୟାରେ ବାତ୍ୟା ପାରାଦୀପଠାରୁ ୨୦୭ କିେଲାମିଟର ଦୂରରେ େକନ୍ଦ୍ରୀଭୂତ େହାଇଥିବ ଓ ୯ ତାରିଖ ମଧ୍ୟାହ୍ନରେ ପାରାଦୀପଠାରୁ ୧୦୦ କିେଲାମିଟର ଦୂରରେ ରହି ଅତିକ୍ରମ କରିବ। ଏହି ସମୟରେ ବାତ୍ୟାର ତୃତୀୟ ବଳୟ ଓଡ଼ିଶାର ଉପକୂଳର ପାଖାପାଖି ୨୫ କିେଲାମିଟର ଅଞ୍ଚଳ ଦେଇ ଗତି କରିବ। ଏହି ସ୍ଥାନରେ ମଧ୍ୟମରୁ ପ୍ରବଳ ଓ ଏହା ପରେ ପ୍ରାୟ ୭୫ କିେଲାମିଟର ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ୯ ତାରିଖ ପୂର୍ବାହ୍ନରେ ବାତ୍ୟା ପୁରୀ ଉପକୂଳ ସ୍ପର୍ଶ କରି ଆଗକୁ ଯିବ। ମଧ୍ୟାହ୍ନରେ ପାରାଦୀପ ଓ ସନ୍ଧ୍ୟାରେ ବାଲେଶ୍ବର ଉପକୂଳ ଅତିକ୍ରମ ସହ ଓଡ଼ିଶା ଛାଡ଼ିବ େବାଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ସେହିପରି ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି ଯେ ସମୁଦ୍ର ତଟ ଦେଇ ଆଗକୁ ବଢ଼ିବା ବେଳେ ଜୁଆର ଉଠିବା ସମ୍ଭାବନା ରହିଛି। ଏବେ ବାତ୍ୟା ୨୭ କିେଲାମିିଟର େବଗରେ ଆଗକୁ ବଢୁଛି।

ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ପ୍ରଦୀପ ଜେନା କହିଛନ୍ତି ଯେ ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାରେ ପାଗ ପରିବର୍ତନ ହେବ। ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଶହେ ମିମିରୁ ଅଧିକ ବର୍ଷା ହୋଇପାରେ। ୯ ତାରିଖରେ ଜଗତ୍‌ସିଂହପୁରରୁ ବାଲେଶ୍ବର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖଠାରୁ ପୁରୀରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବ। ତେବେ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପବନର ବେଗ ବେଳେବେଳେ ୮୫ କିମିରେ ପହଞ୍ଚିପାରେ। ଖୋର୍ଧା, କଟକ, ଯାଜପୁର, ନୟାଗଡ଼, ଗଞ୍ଜାମ ଆଦି ଜିଲ୍ଲାରେ ବି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ସ୍ଥିତି ଖରାପ ହେବାର ଆଶଙ୍କା ରହିଛି। ତେଣୁ ଉକ୍ତ ୬ଟି ଜିଲ୍ଲାକୁ ଗୋଟିଏ ଲେଖାଏ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌କୁ ପଠାଯାଇଛି। ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ରାତି ସୁଦ୍ଧା କୂଳକୁ ଫେରି ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମ୍ଭାବ୍ୟ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ପ୍ରମୋଦ ମିଶ୍ର ପୂର୍ବାହ୍ନରେ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ବି ଆଜି ସନ୍ଧ୍ୟା ବରିଷ୍ଠ ଅଧିକାରୀଙ୍କ ସହ ଝଡ଼ବର୍ଷା ଉପରେ ବିଶେଷ ଆଲୋଚନା‌ କରିଛନ୍ତି।

ସମ୍ବନ୍ଧିତ ଖବର