ପୁରୀରେ ଦେଶର ସର୍ବାଧିକ ବର୍ଷା

ଆଜି ପଶ୍ଚିମ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର: ଗତକାଲି କାଚିଲା ବର୍ଷା। କେଉଁଠି ବୁଡ଼ାଇଲା ତ ଆଉ କେଉଁଠି ଭୁଶୁଡ଼ିଲା। ନଦୀଗୁଡ଼ିକରେ ବି ଜଳସ୍ତର ବଢ଼ିଲା ଓ କମିଲା। ୨୪ ଘଣ୍ଟା ଧରି ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଏଭଳି ଢଙ୍ଗରେ ଅସ୍ତବ୍ୟସ୍ତ କରିପକାଇଲା ଲଗୁଚାପ ଜନିତ ବର୍ଷା। ତଥାପି ବର୍ଷା ଭୟ ଦୂର ଦେଇନି। ଆହୁରି ୧୨ ଘଣ୍ଟା ଓଡ଼ିଶାରେ ବର୍ଷା ରହିବ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ରାତି ୧୦ଟା ସୁଦ୍ଧା ଏହା ଚାନ୍ଦବାଲିଠାରୁ ୮୦ କିମି ଓ ବାଲେଶ୍ୱର ନିକଟରେ ଘନୀଭୂତ ହୋଇଥିଲା। ମଧ୍ୟରାତିରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି। ଅବପାତ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଉଚ୍ଚ ଜୁଆର ଉଠିବ। ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ହେବ। ବେଳେବେଳେ ୫୫ କିମି ବେଗରେ ବି ପବନ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯିବା ସହ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଲଗାଯାଇଛି।

ରାତିରେ ଓଡ଼ିଶା ଅତିକ୍ରମ କଲା ଅବପାତ
ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ଗତକାଲି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଧା ଓ କଟକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କେବଳ ପୁରୀରେ ୩୯୫ ମିମି ବର୍ଷା ହୋଇଛି, ଯାହାକି ଦେଶରେ ସର୍ବାଧିକ। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ପୁରୀରେ ଦେଶରେ ସର୍ବାଧିକ ୩୯ ସେମି ବର୍ଷା ହୋଇଛି। ଏହା ତଳକୁ ଭୁବନେଶ୍ୱରରେ ଦ୍ୱିତୀୟ ସର୍ବାଧିକ ୧୭ ସେମି ଓ ପାରାଦୀପରେ ୧୩ ସେମି ବର୍ଷା ରେକର୍ଡ କରାଯାଇଛି। ଦେଶରେ ସର୍ବାଧିକ ବର୍ଷା ହୋଇଥିବା ତିନୋଟି ସହର ମଧ୍ୟରେ ଉକ୍ତ ୩ଟି ସହର ରହିଛି। ସ୍ୱତନ୍ତ୍ର ରିଲିଫ୍‌ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ୧୧ଟି ବ୍ଲକରେ ୧୦୦ରୁ ଅଧିକ ମିମି ବର୍ଷା ହୋଇଛି। ପୁରୀ ଜିଲ୍ଲା ଡେଲାଙ୍ଗରେ ୧୮୫ ମିମି ହୋଇଥିବା ବେଳେ ସତ୍ୟବାଦୀରେ ୧୭୬, ବ୍ରହ୍ମଗିିରିରେ ୧୭୧, ପିପିଲିରେ ୧୬୦, ଖୋର୍ଧା ଜିଲ୍ଲା ବାଲିଅନ୍ତାରେ ୧୫୯, କଟକର ବାଙ୍କି-ଡମପଡ଼ାରେ ୧୪୫, ଭୁବନେଶ୍ୱରରେ ୧୪୧.୪, ବୋଲଗଡ଼ରେ ୧୩୦, କଟକ ଜିଲ୍ଲା ନିଆଳିରେ ୧୨୪.୪, ପୁରୀ ଜିଲ୍ଲା କଣାସରେ ୧୦୯ ଓ କାକଟପୁରରେ ୧୦୨ ମିମି ବର୍ଷା ହୋଇଛି। ରାଜ୍ୟରେ ମୋଟ ୧୦୨୫.୩ ମିମି ବର୍ଷା ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ପୁରୀରେ ୩୯୫ ମିମି ବର୍ଷା ହୋଇଛି। ଏହାତଳକୁ ଭୁବନେଶ୍ୱରରେ ୧୭୬.୯, ହୀରାକୁଦରେ ୧୬୯.୮, ପାରାଦୀପରେ ୧୨୮ ମିମି ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନର୍ଦେଶକ ଏଚ୍‌ ଆର ବିଶ୍ୱାସ କହିଛନ୍ତି ଯେ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷା ରହିବ। ଏହାପରେ ପାଗରେ ପରିବର୍ତନ ଆସିବ। ୧୦ ତାରିଖ ଯାଏ କୋହଲା ପାଗ ଜାରି ରହିବ। ୧୧ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଉଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ତାହା ଏବେ ବାଲେଶ୍ୱରଠାରୁ ୫୦ରୁ ୫୫ କିମି ଦୂରରେ ରହିଛି। ରାତି ସୁଦ୍ଧା ତାହା ଓଡ଼ିଶା ଅତିକ୍ରମ କରିବ। ଫଳରେ ବୁଧବାର ମଧ୍ୟାହ୍ନ ଯାଏ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷା ଲାଗି ରହିବ। ଅପରାହ୍ନ ବେଳକୁ ପାଗରେ ପରିବର୍ତନ ଆସିବ। ଅଗଷ୍ଟ ୧୩ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର