ବୁର୍ଲାରେ ବାଦଲଫଟା ବର୍ଷା : ଆସୁଛି ବନ୍ୟା, ହୀରାକୁଦ ଗେଟ୍‌ ଖୋଲିନି, କିନ୍ତୁ ଫୁଲିଲାଣି ମହାନଦୀ

୩୬ବର୍ଷର ରେକର୍ଡ ଭାଙ୍ଗିଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ୨୪ ଘଣ୍ଟା ଧରି ନିର୍ଧୂମ ଛେଚିଲା ବର୍ଷା। ତିନି ପ୍ରମୁଖ ସହର ପୁରୀ, ଭୁବନେଶ୍ୱର, କଟକକୁ ଜଳାର୍ଣ୍ଣବ କରିଦେଲା।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳରୁ ମୁହଁ ଫେରାଇ ପଶ୍ଚିମ ଓଡ଼ିଶାରେ ପହଞ୍ଚୁ ପହଞ୍ଚୁ ଏମିତି ତାଣ୍ଡବ ରଚାଇଛି ଯେ ସ୍ଥାନୀୟ ଅଞ୍ଚଳ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ୩୬ବର୍ଷର ରେକର୍ଡ ଭାଙ୍ଗି ୬୨୨ ମିଲିମିଟର ବର୍ଷା କରାଇଛି, କେଇ ମୁହୂର୍ତ ମଧ୍ୟରେ। ଆଉ ଏ ବାଦଲ ଫଟା ବର୍ଷା ଏବେ ସମ୍ବଲପୁର ସମେତ ପଶ୍ଚିମ ଓ଼ଡ଼ିଶାକୁ ଜଳବନ୍ଦୀ କରିବା ସହିତ ମହାନଦୀରେ ବନ୍ୟାକୁ ଡାକିଆଣିଛି। ହୀରାକୁଦ ଜଳଭଣ୍ଡାରର ଗୋଟିଏ ବି ଗେଟ୍‌ ଖୋଲାଯାଇନଥିଲେ ହେଁ, ତଳମୁଣ୍ଡରେ ହୋଇଥିବା ବର୍ଷା କାରଣରୁ ମହାନଦୀ ଫୁଲିବା ଆରମ୍ଭ କରିଛି।

ରାଜ୍ୟ ସରକାର ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ଆଜି ହଠାତ୍‌ ସତର୍କ କରାଇଛନ୍ତି ଯେ ମହାନଦୀରେ ବନ୍ୟା ଆସୁଛି। ମହାନଦୀର ମୁଣ୍ଡୁଳିଠାରେ ୨୪ ତାରିଖ ସକାଳ ସୁଦ୍ଧା ସେକେଣ୍ଡ ପ୍ରତି ୮ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଯଦିଓ ବଡ଼ ବନ୍ୟାର ସମ୍ଭାବନା ନାହିଁ, ତଥାପି, ମହାନଦୀ ଡେଲ୍ଟା ଅଞ୍ଚଳରେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଅନୁଭୂତ ହେବ। ତଳିଆ ଅଞ୍ଚଳ ମହାନଦୀ ପେଟକୁ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ସରକାରୀ ରିପୋର୍ଟ ଅନୁସାରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଖଇରମାଳରେ ସେକେଣ୍ଡ ପ୍ରତି ୬ଲକ୍ଷ ୭୮ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ବରମୂଳରେ ୫ଲକ୍ଷ ୪୭ ହଜାର କ୍ୟୁସେକ୍‌ ଜଳ ଅତିକ୍ରମ କରୁଥିବା ବେଳେ ଏବେ ମୁଣ୍ଡୁଳୀରେ ଏହାର ପରିମାଣ ୧ଲକ୍ଷ ୪୬ ହଜାର ୫୪୮ କ୍ୟୁସେକ୍‌ ରହିଛି।

ସରକାର ଯୁକ୍ତି ଦର୍ଶାଇଛନ୍ତି, ହୀରାକୁଦରେ ଆଜି ସନ୍ଧ୍ୟା ସୁଦ୍ଧା ଜଳପତ୍ତନ ୬୧୩.୩୯ ଫୁଟ ରହିଛି।

ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି ପୂର୍ବାପେକ୍ଷା ଅଧିକ ଜଳ ପ୍ରବେଶ କରୁଥିଲେ ହେଁ, ସନ୍ଧ୍ୟା ୬ଟା ସୁଦ୍ଧା ଏହା ୧ଲକ୍ଷ ୬୮ ହଜାର ୮୮୩ କ୍ୟୁସେକ୍‌ ରହିଛି। ଗୋଟିଏ ବି ଗେଟ୍‌ ଖୋଲାଯାଇନାହିଁ। କିନ୍ତୁ ମହାନଦୀର ନିମ୍ନ ଅବବାହିକାରେ ଅର୍ଥାତ୍‌ ସମ୍ବଲପୁରରେ ୫୬୭ ମିଲିମିଟର, ବୁର୍ଲାରେ ୬୨୨ ମିଲିମିଟର, ହୀରାକୁଦରେ ୪୦୧ ମିଲିମିଟର, ଓ ହୀରାକୁଦ ଠାରୁ ମୁଣ୍ଡୁଳି ମଧ୍ୟରେ ବିଭିନ୍ନ ସ୍ଥାନରେ ୧୦୦ ମିଲିମିଟରରୁ ୩୦୦ ମିଲିମିଟର ପରିମାଣର ବର୍ଷା ହୋଇଛି। ପରିଣାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟ ସରକାର ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜଳସଂପଦ ବିଭାଗର ସମସ୍ତ ଅଧିକାରୀଙ୍କୁ ସତର୍କତାର ସହିତ ନଦୀବନ୍ଧଗୁଡିକର ସୁରକ୍ଷା ପାଇଁ ସଜାଗ ହେବା ଲାଗି ନିର୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାପାଳମାନଙ୍କୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବା ଲାଗି କୁହାଯାଇଛି।

ଅନ୍ୟପକ୍ଷରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଓ଼ଡ଼ିଶାରେ ବର୍ଷା ବିତ୍ପାତ ଘଟାଇପାରେ। ଉପକୂଳ ଓ ଉତ୍ତର ଓଡ଼ିଶାରେ ଏଣିକି ବର୍ଷା ପରିମାଣ କମିବା ଆରମ୍ଭ କରିଛି। ଜୁଲାଇ ୨୩ ସନ୍ଧ୍ୟା ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହ୍ରାସ ପାଇବ।

ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ବର୍ଷା ଜାରି ରହିଛି। ଆଉ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ହେବ। ଠାଏ ଠାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନାକୁ ଏ଼଼ଡାଇ ଦିଆଯାଇନପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ମଧ୍ୟରେ ରହିବ ବୋଲି କୁହାଯାଇଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓଡ଼ିଶା ଅତିକ୍ରମ କରିଥିବାରୁ ଆଉ ବର୍ଷା ବଢ଼ିବ ନାହିଁ।

ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ବର୍ଷା ପରର ପରିସ୍ଥିତି ମୁକାବିଲାକୁ ଗୁରୁତ୍ୱ ଦିଆଯାଉଛି। ଉଦ୍ଧାର କାର୍ଯ୍ୟରେ ୧୧ଟି ଓଡ୍ରାଫ୍‌ ଟିମ୍‌, ୮୫ଟି ଅଗ୍ନିଶମ ୟୁନିଟ୍‌ରେ ୭୦୯ ଜଣ ନିୟୋଜିତ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ରାଜ୍ୟର ୨୨ଟି ସ୍ଥାନରୁ ୪୭୩ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ତଳିଆ ଅଞ୍ଚଳରୁ ପାଣି କାଢ଼ିବା ପାଇଁ ୮୫ଟି ପମ୍ପ ନିୟୋଜିିତ ହୋଇଛି। ମହାନଦୀ ସମେତ ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। କେବଳ ବଂଶଧାରା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି।

ସରକାରୀ ରିପୋର୍ଟ ଅନୁସାରେ, ରାଜ୍ୟର ୧୪ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ଓ ୪୯ଟି ବ୍ଲକରେ ୧୦୦ରୁ ୨୦୦ ମିମି ମଧ୍ୟ ବର୍ଷା ହୋଇଛି। ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକରେ ସର୍ବାଧିକ ୫୧୦ ମିମି ବର୍ଷା ହୋଇଥିବା ବେଳେ ଏହି ଜିଲ୍ଲାର ଧାନକଉଡ ବ୍ଲକରେ ୪୮୭, ରେଢ଼ାଖୋଲରେ ୩୦୪, ସୁବର୍ଣ୍ଣପୁରର ବୀରମହାରାଜପୁରରେ ୪୩୦, ବୌଦ୍ଧରେ ୩୮୦, ବରଗଡ଼ର ଅତାବିରାରେ ୩୫୦.୪, ବରଗଡ଼ରେ ୩୦୯.୮ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବଲପୁର ସହରରେ ଶନିବାର ସକାଳୁ ରବିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୬୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପୂର୍ବରୁ ୧୯୮୨ ମସିହାରେ ଗୋଟିଏ ଦିନରେ ସର୍ବାଧିକ ୫୮୨ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସେହିପରି ସମ୍ବଲପୁର ମହାନଗର ଅନ୍ତର୍ଗତ ବୁର୍ଲାରେ ରେକର୍ଡ ୬୨୧ ସେଣ୍ଟିମିଟର ବର୍ଷା ହୋଇଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡ଼ିଛି।

ଜୁନ୍‌ ୧ରୁ ଆଜି(ଜୁଲାଇ ୨୨) ସୁଦ୍ଧା ୧୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ୧୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। କେବଳ ସୁନ୍ଦରଗଡ଼ ଜିଲ୍ଲାରେ କମ୍‌ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ୧୪୪ଟି ବ୍ଲକରେ ସ୍ୱାଭାବିକଠାରୁ ଅଧିକ, ୧୨୨ ବ୍ଲକରେ ସ୍ୱାଭାବିକ, ୩୨ଟି ବ୍ଲକରେ ହାରାହାରିଠାରୁ କମ୍‌ ଓ ୧୬ଟି ବ୍ଲକରେ ବହୁତ କମ୍‌ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର