୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ସତର୍କ କରାଇଲେ ଏସ୍‌ଆରସି, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ସଂଲଗ୍ନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ଏହାସହିତ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ରହିଥିବାରୁ ଆସନ୍ତାକାଲି ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁୁଳ, ସମ୍ବଲପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ ଓ ଜଗତସିଂହପୁରରେ ବର୍ଷାର ପରିମାଣ ଅଧିକ ରହିବ। ଠାଏ ଠଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଏଡାଇ ଦିଆଯାଇନପାରେ।

ପରିସ୍ଥିତିକୁ ନଜର ରଖି ଆଜି ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ ବର୍ଷା ହେବାକୁ ଥିବା ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ଲାଗି ନିର୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ୭ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ସତର୍କ କରିଦିଆଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ରବିବାର ଓ ସୋମବାର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବି ଅତି ପ୍ରବଳ ବର୍ଷା ହୋଇପାରେ। ରବିବାର ସକାଳୁ ବର୍ଷାର ପରିମାଣ ବଢ଼ିବାକୁ ଥିବାବେଳେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ପବନର ଗତି ଘଣ୍ଟାପ୍ରତି ୩୫ରୁ ୪୫ କିମି ଛୁଇଁପାରେ।

୬ ତାରିଖରେ ବର୍ଷାର ପ୍ରକୋପ ଆହୁରି ବଢ଼ିବ। ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଉପକୂଳ ଅଞ୍ଚଳରେ ବର୍ଷା ଲାଗିରହିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା କମ୍‌ ରହିଛି।

ସମ୍ବନ୍ଧିତ ଖବର