ଅବପାତର ରୂପ ନେଉଛି ଲଘୁଚାପ

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଦୃଢ ସ୍ଥିତିରେ ରହିଛି। ଆଜି ସନ୍ଧ୍ୟାରେ ଏହା ଘନୀଭୂତ ହୋଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଓ ଉତ୍ତର ଆନ୍ଧ୍ର ପ୍ରଦେଶ, ଓଡ଼ିଶାର ଉପକୂଳ ଅଞ୍ଚଳ ପ୍ରବେଶ କରିବ। ୨୦ ତାରିଖ ବିଳମ୍ବିତ ରାତି ଓ ୨୧ ତାରିଖ ସକାଳେ କଳିଙ୍ଗପତ୍ତନମ୍‌ ଓ ପୁରୀ ମଧ୍ୟରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଭୀଷଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ବଙ୍ଗୋପ ସାଗରର ଆନ୍ଧ୍ର-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଆଜି ସନ୍ଧ୍ୟାରୁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ଏବଂ ଆସନ୍ତାକାଲିକୁ ଏହା ବୃଦ୍ଧି ପାଇ ଘଣ୍ଟାପ୍ରତି ୭୫ କିଲୋମିଟରକୁ ବୃଦ୍ଧି ପାଇବ। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ କରାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, କଳାହାଣ୍ଡି ଭଳି କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ସମ୍ବନ୍ଧିତ ଖବର