ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୩ଟି ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଉପରୋକ୍ତ ୧୩ଟି ଜିଲ୍ଲାକୁ ବାଦ ଦେଲେ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ସନ୍ଧ୍ୟା ଆଡ଼କୁ ବର୍ଷା ଓ ପବନର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ସେହିପରି ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଏହାର ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହ ଅପରାହ୍ଣ କିମ୍ବା ବିଳମ୍ବିତ ସନ୍ଧ୍ୟା ଆଡ଼କୁ ବର୍ଷା ହୋଇପାରେ।

ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ସେଲସିୟସ୍‌ ବାରିପଦା ଠାରେ ରେକର୍ଡ କରାଯାଇଥିବା ବେଳେ ସବିନିମ୍ନ ତାପମାତ୍ରା ୧୮ ଡିଗ୍ରି ସେଲସିୟସ୍‌ ସୁନ୍ଦରଗଡ଼ ଠାରେ ରେକର୍ଡ କରାଯାଇଛି। ତେବେ, ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟର ମତ୍ସଜୀବୀମାନଙ୍କ ପାଇଁ କୌଣସି ପ୍ରକାରର ସତର୍କ ସୂଚନା ନଥିବା କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର