ଲଘୁଚାପ ବର୍ଷା: ୮ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କଲେ ଏସ୍ଆରସି
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ବର୍ଷା ଲାଗିରହିବ। ଉପକୂଳ ୮ଟି ଜିଲ୍ଲାର ୨୫ ବ୍ଲକରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶୁକ୍ରବାର ସୂଚନା ଦେଇଛି। ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଶୁକ୍ରବାର ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ୨ଟି ଗାଁ ଶୁକ୍ରବାର ଜଳମଗ୍ନ ହୋଇଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି। ଲଘୁଚାପ ଜନିତ ଅବପାତକୁ ଦୃଷ୍ଟିରେ ରଖି ପାରାଦୀପ ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି।