ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବ ଲଘୁଚାପ; ରାଜ୍ୟର ୭ଟି ଜିଲ୍ଲା ପାଇଁ ‘ରେଡ ୱାର୍ଣ୍ଣିଂ’ ସହ ୧୪ଟି ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କଲା ଆଇଏମ୍ଡି
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବ। ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶାର ପୁରୀ ଉପକୂଳ ଦେଇ ସ୍ଥଳ ଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଲଘୁଚାପଟି ଆଜି ବିଳମ୍ବିତ ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା କଳିଙ୍ଗପଟନମ୍ ଓ ପୁରୀ ମଧ୍ୟରେ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଏମ୍ଡି) । ଫଳରେ ଏହାର ପ୍ରଭାବରେ ଆଜି ଠାରୁ ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ୧୦୦ ମିମି ରୁ ୧୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ତେଣୁ ଭାରତୀୟ ପାଣିପାଗ ତରଫରୁ ରାଜ୍ୟର ୭ଟି ଜିଲ୍ଲା ପାଇଁ ‘ରେଡ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏଥିସହ ରାଜ୍ୟର ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପ୍ରଭୃତି ୧୪ଟି ଜିଲ୍ଲା ପାଇଁ ‘ଅରେଞ୍ଜ ୱାଣ୍ଣିଂ’ ଜାରି କରାଯାଇଛି।
ଏଥିସହ ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଘଣ୍ଟା ପ୍ରତି ୪୫ରୁ ୬୦ କିମି ବେଗରେ ପବନ ବୋହିବା ସହ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ରାଜ୍ୟର ଧୀବରମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।