ଚିଲିକା ଡଙ୍ଗାବୁଡ଼ି ରିପୋର୍ଟ ଆସିଲା : ‘ସବୁ ପବନର ଦୋଷ’

ଭୁବନେଶ୍ୱର : ଚଳିତ ମାସ ୧୬ ତାରିଖରେ ଚିଲିକାରେ ଡଙ୍ଗାବୁଡ଼ି ଜଣେ ଶିଶୁଙ୍କ ସମେତ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ଅନ୍ତର୍ଦେଶୀୟ ଜଳପଥ ନିର୍ଦେଶାଳୟ ନିର୍ଦେଶକ ଆଜି ବିଭାଗୀୟ ପ୍ରମୁଖ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିଲା ବୋଲିଏହି ରିପୋର୍ଟରେ ଦର୍ଶାଯାଇଛି। ସବୁ ପବନର ଦୋଷ। କାଳବୈଶାଖୀ ଯୋଗୁଁ ବହୁଥିବା ପ୍ରବଳ ପବନ ହିଁ ଦୁର୍ଘଟଣାର କାରଣ। ଏ ପଟେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସଙ୍କ ସୂଚନା ମୁତାବକ ସେହି ଡଙ୍ଗା ନିମନ୍ତେ ପ୍ରଶାସନ ତରଫରୁ ୨୦ଟି ଲାଇଫ ଜ୍ୟାକେଟ୍‌ ଦିଆଯାଇଥିଲା। ଏହା ସ୍ପଷ୍ଟ ଯେ କେହି ଯାତ୍ରୀ ସେହି ଜ୍ୟାକେଟ୍‌ ବ୍ୟବହାର କରିନଥିଲେ। ସେତିକି ନୁହେଁ, ଯଦି କେହି ଜ୍ୟାକେଟ୍‌ ବ୍ୟବହାର କରିନଥିଲେ, ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ସେଗୁଡ଼ିକ ଥିଲା କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

ତଦନ୍ତ ରିପୋର୍ଟରେ ପବନକୁ ଦୋଷ ଦେଇ ପ୍ରଶାସନ ଉପରୁ ଦୋଷ ଖସାଇଛି। ଏହି ରିପୋର୍ଟ ବୟାନ କରୁଛି ଡଙ୍ଗାରେ ୧୫ଜଣଙ୍କ ପାଇଁ ବସିବାକୁ ଜାଗା ଥିଲା। ସେହି ଡଙ୍ଗା ପାଇଁ ୨୦ଟି ଲାଇଫ ଜ୍ୟାକେଟ୍‌ ଦିଆଯାଇଥିଲା। କାଳିଜାଈରୁ ଫେରିବା ବେଳକୁ ଚିଲିକା ମଝିରେ କାଳବୈଶାଖୀ ମାଡ଼ି ଆସିଥିଲା। ଭୀଷଣ ବେଗରେ ପବନ ବହୁଥିଲା। ନାଉରିଆ ଡଙ୍ଗାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଲା। ଫଳରେ କାଳିଜାଈ ଗଣ୍ଡରେ ଡଙ୍ଗା ବୁଡ଼ିଗଲା। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଲା। ଏ ସଂପର୍କରେ ପଚାରିବାରୁ ବିଭାଗୀୟ ପ୍ରମୁଖ ସଚିବ କହିଲେ, ଲାଇଫ ଜ୍ୟାକେଟ୍‌ ଥିଲା କି ନାହିଁ ସେ କଥା ତଦନ୍ତକାରୀ ନିର୍ଦେଶକ କହିପାରିବେ। କିନ୍ତୁ ଏହା ସ୍ପଷ୍ଟ ଯେ କେହି ଲାଇଫ ଜ୍ୟାକେଟ୍‌ ପିନ୍ଧି ନ ଥିଲେ। ତେବେ ଏ ନେଇ ସଂପୃକ୍ତ ନିର୍ଦେଶକଙ୍କୁ ମୋବାଇଲ୍‌ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ସେ ଏଡ଼ାଇ ଯାଇଥିଲେ।

ଏଥିରୁ ସ୍ପଷ୍ଟ ଯେ ଯଦି ଯାତ୍ରୀମାନେ ଲାଇଫ ଜ୍ୟାକେଟ୍‌ ବ୍ୟବହାର କରିଥାନ୍ତେ, ସେମାନଙ୍କର ଅମୂଲ୍ୟ ଜୀବନ ରକ୍ଷା ପାଇବାର ସମ୍ଭାବନା ଥିଲା। ଲାଇଫ ଜ୍ୟାକେଟ୍‌ ବ୍ୟବହାର କଲେ, ଅନ୍ତତଃପକ୍ଷେ ଜଣେ ଗଭୀର ଜଳରେ ନ ବୁଡ଼ି ଭାସି ରହିଥାନ୍ତେ। ଏହା ଫଳରେ ରାଜ୍ୟ ସରକାର ଜାରି କରିଥିବା ବାଜି ରାଉତ ନୌକା ସୁରକ୍ଷା ନିୟମାବଳୀ ଉଲ୍ଲଂଘନ ହୋଇଛି। ଏଭଳି ଗୁରୁତର ତ୍ରୁଟି ସଂପର୍କରେ ତଦନ୍ତକାରୀ ଅଧିକାରୀ କାହିଁକି ଆଖିବୁଜି ଦେଲେ, ସେ ନେଇ ସନ୍ଦେହ ଉଙ୍କି ମାରୁଛି। କେବଳ ଏହି ଦୁର୍ଘଟଣା ନୁହେଁ, ଚିଲିକା ଓ ଅନ୍ୟାନ୍ୟ ନଦୀରେ ଡଙ୍ଗା ଚାଳନା ବେଳେ ଲାଇଫ ଜ୍ୟାକେଟ୍‌ ଡଙ୍ଗାରେ ସାଇତି ରଖାଯାଉଥିଲେ ମଧ୍ୟ କଡ଼ାକଡ଼ି ଭାବେ ବ୍ୟବହାର କରାଯାଉନାହିଁ। ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି। ରିପୋର୍ଟରେ ତଦନ୍ତକାରୀ ନିର୍ଦେଶକ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ଥିଲା ଦର୍ଶାଇଥିବା ବେଳେ ଖାଲି ପବନକୁ ଦୋଷ ଦେଇ ନିଜ ଦାୟିତ୍ୱ ସାରି ଦେଇଥିବା ଅଭିଯୋଗ ହେଉଛି। ଏ ନେଇ ବିଭାଗୀୟ ପ୍ରମୁଖ ସଚିବ କହିଛନ୍ତି ଯେ ରିପୋର୍ଟ ଚୂଡ଼ାନ୍ତ ଥିଲେ ବି ତା’ର ପରୀକ୍ଷା କରାଯିବ। ସୂଚନାନୁସାରେ ଏହି ଦୁର୍ଘଟଣାଗସ୍ତ ଡଙ୍ଗାରେ ଭୁବନେଶ୍ୱର ଓ ନୟାଗଡ଼ ଅଞ୍ଚଳର ଯାତ୍ରୀମାନେ କାଳିଜାଈରେ ମା’ଙ୍କ ଦର୍ଶନ ସାରି ଫେରୁଥିଲେ। ସେତେବେଳେ ଚିଲିକା ହ୍ରଦ ମଝିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ହୋଇ ଡଙ୍ଗା ବୁଡ଼ିଥିଲା। ଏହି ଦୁର୍ଘଟଣା ନେଇ ବିଭିନ୍ନ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ପାଇଥିଲା। ଫଳରେ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର