ସହଯୋଗିତା ବଢ଼ାଇବ ୟୁରୋପୀୟ ସଂଘ

ଭୁବନେଶ୍ୱର: ଓଡ଼ିଶା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ବଢ଼ାଇବା ଉପରେ ୟୁରୋପୀୟ ସଂଘ ବିଚାର କରୁଛି। ଆଗାମୀ ଦିନରେ ଓଡ଼ିଶା ସହିତ ସବୁଜ ଶକ୍ତି, ଅକ୍ଷୟ ଶକ୍ତି, ସବୁଜ ବାସଗୃହ ଓ ଜଳ ପରିଚାଳନା କ୍ଷେତ୍ରରେ କାମ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ଟୋମାସ୍‌ କୋଜ୍‌ଲୋସ୍କି କହିଛନ୍ତି। ସେ କହିଲେ, ବର୍ତ୍ତମାନ ଆମେ ଇ-ବର୍ଜ୍ୟବସ୍ତୁ ପରିଚାଳନା, ଆବାସିକ ବାସଗୃହରେ ସୋଲାର ରୁଫ୍‌ଟପ୍‌ ଓ ଷ୍ଟ୍ରିଟ୍‌ ଲାଇଟ୍‌ କ୍ଷେତ୍ରରେ ଓଡ଼ିଶାକୁ ବୈଷୟିକ ସହାୟତା ପ୍ରଦାନ କରୁଛୁ। ବାଲେଶ୍ୱର ଜିଲ୍ଲାରେ ଫ୍ଲୋରୋସିସ୍‌ ସମସ୍ୟାର ସମାଧାନ କରିବା ପାଇଁ ଏକ ପ୍ରକଳ୍ପ ଜାରି ରହିଛି। ସରକାରୀ ସ୍କିମ୍‌କୁ ନେଇ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଯାଉଛି ଓ ଆଦିବାସୀ ମହିଳା ସଶକ୍ତୀକରଣ ଦିଗରେ ମଧ୍ୟ ଆମେ ଓଡ଼ିଶାରେ କାମ କରୁଛୁ ବୋଲି ସେ କହିଛନ୍ତି।

ଭାରତ ସହିତ ସ୍ୱାକ୍ଷରିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ରାଜିନାମା ବିଷୟରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଆଲୋଚନା ପାଇଁ ୧୩୦୦ ପୃଷ୍ଠାର ବିଷୟବସ୍ତୁ ପ୍ରସ୍ତୁତ ହୋଇଛି। ଏହା ଏକ ଲମ୍ବା ପ୍ରକ୍ରିୟା। ପ୍ରତିଟି ବିଷୟରେ ସହମତି ପ୍ରକାଶ ପାଇବା ଦରକାର। ଭାରତ ସହିତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ୟୁରୋପୀୟ ସଂଘରୁ ବ୍ରିଟେନ୍‌ ବାହାରିଯିବା (ବ୍ରେକ୍ସିଟ୍‌) ଏହି ଆଲୋଚନାକୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୨୦ ବିଲିଅନ୍‌ ଡଲାରରୁ ଅଧିକ ରହିଛି। ଆଗାମୀ ଦିନରେ ଅର୍ଥନୀତି, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ସୂଚନା ପ୍ରଯୁକ୍ତି, ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଭାରତ ସହିତ ସହଯୋଗିତା ବଢ଼ାଇବା ଉପରେ ସଂଘ କାମ କରିବ ବୋଲି ସେ କହିଛନ୍ତି। ଡାଟା ସୁରକ୍ଷା ଉପରେ ଭାରତ ଯେଉଁ ନୀତି ପ୍ରସ୍ତୁତ କରୁଛି ସେ କ୍ଷେତ୍ରରେ ମଧ୍ୟ ୟୁରୋପୀୟ ସଂଘ ସହାୟତା ପ୍ରଦାନ କରୁଛି। କିଛି ଦିନ ତଳେ ୟୁରୋପୀୟ ସଂଘ ପକ୍ଷରୁ ଭାରତୀୟ ଚିଙ୍ଗୁଡ଼ି ରପ୍ତାନି ଉପରେ ଟିକସ ବୃଦ୍ଧି କରାଯାଇଥିଲା। ଏ ସଂକ୍ରାନ୍ତରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଆମେ ଲୋକମାନଙ୍କ ସ୍ୱାସ୍ଥ୍ୟ ସହିତ ସାଲିସ କରିବାକୁ ଚାହୁନୁ। ସେଥିପାଇଁ ମାନଦଣ୍ଡକୁ କଡ଼ାକଡ଼ି କରିଛୁ। ଚିଙ୍ଗୁଡ଼ି ରପ୍ତାନି ଉପରେ କଟକଣା ଲଗାଇବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ମେକ୍‌ ଇନ୍‌ ଓଡ଼ିଶା ଅଂଶଗ୍ରହଣ ନେଇ ସ୍ପଷ୍ଟ କଲେନି
ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା ନିବେଶକ ସମ୍ମିଳନୀରେ ୟୁରୋପର ବିଭିନ୍ନ ଦେଶ ଯଥା ଜର୍ମାନୀ ଓ ଇଟାଲି ଭାଗ ନେବେ। କିନ୍ତୁ ୟୁରୋପୀୟ ସଂଘ ଏଥିରେ ଅଂଶଗ୍ରହଣ କରିନପାରେ। ଆଜି ଏ ସଂକ୍ରାନ୍ତରେ ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ଟୋମାସ୍‌ କୋଜ୍‌ଲୋସ୍କିଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ନିବେଶକ ସମ୍ମିଳନୀ ଘରୋଇ କଂପାନିମାନଙ୍କ ପାଇଁ। ୟୁରୋପର କଂପାନିଗୁଡ଼ିକ ସେଥିରେ ଅଂଶଗ୍ରହଣ କରିପାରିବେ। କିନ୍ତୁ ୟୁରୋପୀୟ ସଂଘ ଏଥିରେ ଭାଗ ନେବ କି ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି। ସେ ମେକ୍‌ ଇନ୍‌ ଓଡ଼ିଶା ବିଷୟରେ କିଛି ସିଧାସଳଖ ଉତ୍ତର ଦେଇନାହାନ୍ତି। ଅଗଷ୍ଟ ଶେଷ ସପ୍ତାହରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ ୟୁରୋପର ବିଭିନ୍ନ ଦେଶର ବାଣିଜ୍ୟ ଦୂତାବାସର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ସରକାର ଆହ୍ଵାନ ଦେଇଥିଲେ। ୟୁରୋପୀୟ ସଂଘର ପକ୍ଷ ରଖି ସେ କହିଛନ୍ତି ଯେ, ଚଳିତ ମାସର ପ୍ରଥମ ସପ୍ତାହରେ ୟୁରୋପୀୟ ପରିବେଶ ଆୟୁକ୍ତ ଭାରତ ଗସ୍ତରେ ଆସିଥିଲେ ଓ ତାଙ୍କ ସହିତ ଏକ ବ୍ୟବସାୟୀ ପ୍ରତିନିଧି ମଣ୍ଡଳୀ ଆସିଥିଲେ। ଗତ ସପ୍ତାହରେ ଭାରତରେ ଅନୁଷ୍ଠିତ ହୋଇଥିବା ଅକ୍ଷୟ ଶକ୍ତି ସମ୍ମିଳନୀରେ ୧୦୦ରୁ ଅଧିକ ୟୁରୋପୀୟ କଂପାନି ଭାଗ ନେଇଥିଲେ। ଆମେ ଅଧିକରୁ ଅଧିକ ୟୁରୋପୀୟ କଂପାନିଙ୍କୁ ଭାରତ ଆଣିବାକୁ ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର