ଟ୍ରକ୍‌-ବସ୍‌ ଧକ୍କା, ହେଲପର ଗୁରୁତର

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତୀଗିରି ନିକଟରେ ଏକ ଟ୍ରକ୍‌ ପଛ ପଟେ ପିଟି ହୋଇ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ ହେଲପର ଗୁରୁତର ହୋଇଥିବା ବେଳେ କଣ୍ଟକ୍ଟର ଆହତ ହୋଇଛନ୍ତି। ଉଭୟଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ରାୟପୁରରୁ ନରେଶ ନାମକ ଘରୋଇ ବସ୍‌(ସିଜି ୨୭ଏସ୍‌ ୦୧୪୪) ଦାମନଯୋଡି ଅଭିମୁଖେ ଯାଉଥିଲା। ତେବେ ସକାଳ ପ୍ରାୟ ସାଢେ ୬ଟାରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତୀଗିରି ନିକଟରେ ଏକ ଟ୍ରକ୍‌(ଓଡି ୧୦ବି ୫୫୮୯) ପଛପଟେ ଏହି ବସ୍‌ଟି ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ପଟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ହେଲପର ଗୁରୁତର ହୋଇଥିଲେ। ଦୁର୍ଘଟଣାରେ ବସ୍‌ କଣ୍ଟକ୍ଟର ମଧ୍ୟ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ପରେ ଗୁରୁତର ହେଲପର ଓ କଣ୍ଟକ୍ଟରଙ୍କୁ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବୋରିଗୁମ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟ ବସ୍‌ ଓ ଟ୍ରକ୍‌କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର