ଗାଁରେ ପାଣି ସମସ୍ୟା ହେଲେ ଡାଏଲ୍‌ କରନ୍ତୁ ‘୧୯୧୬’

‘ବସୁଧା’ର ଲୋଗୋ ଓ ହେଲ୍‌ପ୍‌ ଲାଇନ୍ ନମ୍ବର ଲୋକାର୍ପିତ

ଭୁବନେଶ୍ବର : ଏଣିକି ଗାଁ‌େର ପାଣି ସମସ୍ୟା‌ ହେଲେ ଡାଏଲ୍ କରନ୍ତୁ ‘୧୯୧୬’। ଏହି ନମ୍ବରରେ ଅଭିଯୋଗ ଦାଖଲ ହେଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାହାର ସମାଧାନ କରାଯିବ। ନଳକୂପ ହେଉ କି ପାଇପ୍ ଜଳଯୋଗାଣ ହେଉ, ଯେଉଁଥିରେ ବି ସମସ୍ୟା ଦେଖାଯିବ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଭିତରେ ଏହି ନମ୍ବରରେ ଅଭିଯୋଗ କରିହେବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ‌ହେଲ୍‌ପ୍‌ ଲାଇନ୍‌ ନମ୍ବର ପ୍ରଚଳନ କରାଯାଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପିଇବା ପାଣି ଯୋଜନା ‘ବସୁଧା’ର ଲୋଗୋ ଉନ୍ମୋଚନ କରିବା ସହ ‘ବସୁଧା ହେଲ୍‌ପ୍‌ ଲାଇନ୍-୧୯୧୬’କୁ ଲୋକାର୍ପିତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଗ୍ରାମାଞ୍ଚଳରେ ଜଳଯୋଗାଣ କ୍ଷେତ୍ରରେ ଏଣିକି ସାଧାରଣ ଜନତା ଅଭିଯୋଗ କରିପାରିବେ। ସେମାନଙ୍କ ଅଭିଯୋଗ ପଞ୍ଜୀକୃତ ହେବା ସହ ସମସ୍ୟାର ସମାଧାନ ପାଇଁ ବିଭାଗ ତ୍ବରିତ ବେଗରେ ପଦକ୍ଷେପ ନେବ। ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କରାଯାଉଥିବା ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ପାଇଁ ଅଧିକାରୀମାନେ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ବସୁଧା ଯୋଜନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ୬୦୦ କୋଟି ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ବଜେଟ୍‌ରେ ବ୍ୟବସ୍ଥା‌ ହୋଇଥିଲା। ଏବେ ୮୨୦୦ କୋଟି ଟଙ୍କା ବିନିଯୋଗରେ ୫୦ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାମ ଚାଲୁ ରହିଛି। ୨୬୦୦ କୋଟି ଟଙ୍କା ବ୍ୟୟରେ ୧୫ଟି ପ୍ରକଳ୍ପର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଭିତ୍ତିଭୂମି ସହ ପାନୀୟ ଜଳର ମାନ ପରୀକ୍ଷା କରିବା ପାଇଁ ୭୮ଟି ଉତ୍କୃଷ୍ଟ ଜଳ ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଡି କେ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର