ନିଜ ସନ୍ତାନଙ୍କ ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାପା ଓ ମାଆ !

ଗୁଣୁପୁରରେ ପୁଅ ପାଇଁ ପ୍ରଚାର ମୈଦାନରେ ମାଆ ହେମା ଗମାଙ୍ଗ, ସୁନ୍ଦରଗଡରେ ସାନ ଝିଅର ରାଜନୈତିକ ଭବିଷ୍ୟତ ପାଇଁ ପ୍ରଚାର ମୈଦାନକୁ ଓହ୍ଳାଇଲେ ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର : ନିଜ ସନ୍ତାନଙ୍କ ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବାପା ଓ ମାଆ । ରାଜ୍ୟ ରାଜନୀତିରେ ନିଜର ଛାପ ଛାଡିବା ପରେ ଏବେ ନିଜ ପୁଅ ଓ ଝିଅକୁ ରାଜନୀତିରେ ନୂଆ ପରିଚୟ ଦେବା ପାଇଁ ବଡ ବଡ ହେଭିୱେଟ ନେତା କମର କଷିଛନ୍ତି। କୋରାପୁଟ ଓ ସୁନ୍ଦରଗଡରେ ଏବେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଯେଉଁଠି ପୁଅ ଓ ଝିଅଙ୍କ ରାଜନୈତିକ ଇନିଂସକୁ ସଫଳତାର ସ୍ୱାଦ ଚଖାଇବା ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ବାପା ଓ ମାଆ ।

ସୁନ୍ଦରଗଡରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । କିନ୍ତୁ ନିଜ ପାଇଁ ନୁହେଁ ବରଂ ସାନ ଝିଅ ତଥା ସୁନ୍ଦରଗଡରେ କଂଗ୍ରେସର ବିଧାୟିକା ପ୍ରାର୍ଥୀ ହୋଇଥିବା ଅମିତା ବିଶ୍ୱାଳଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ଏହି ହେଭିୱେଟ ନେତା । ସାନ ଝିଅ ପ୍ରଥମ ଥର ପାଇଁ ରାଜନୀତି କୁରୁକ୍ଷେତ୍ରରେ ବଡ ବାଜି ଖେଳିବାକୁ ଯାଉଥିବା ବେଳେ ଅମିତାଙ୍କ ପାଇଁ ସାରଥୀ ଭାବେ ଉଭା ହୋଇଛନ୍ତି ବାପା ହେମାନନ୍ଦ । ପ୍ରଚାର ଠାରୁ ଆରମ୍ଭ କରି ସଙ୍ଗଠନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମଙ୍ଗ ଧରିବା ସହ ଝିଅର ବିଜୟ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି ବାପା ହେମାନନ୍ଦ ।

ଝିଅର ରାଜନୀତି କ୍ୟାରିୟର ଗଢିବା ପାଇଁ ନିଜର ଲମ୍ବା ରାଜନୀତି କ୍ୟାରିୟରର ଅଭିଜ୍ଞତାକୁ ଧରି ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ହେମାନନ୍ଦ । ଗୋଟିଏ ପଟେ ସାନଝିଅ ପାଇଁ ହେମାନନ୍ଦ ପ୍ରଚାର କରୁଥିବା ବେଳେ ଅନ୍ୟପଟେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବଡ ଝିଅ ସୁନୀତାଙ୍କ ପାଇଁ ପ୍ରଚାର କରିବାକୁ ମନ ବଳାଇନାହାନ୍ତି ବାପା ହେମାନନ୍ଦ ।

ସୁନ୍ଦରଗଡରେ ଝିଅ ପାଇଁ ବାପା ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଗୁଣୁପୁର ବିଧାନସଭା ଆସନରେ ପୁଅ ପାଇଁ ବୁଲି ବୁଲି ପ୍ରଚାର କରୁଛନ୍ତି ମାଆ । ଗୁଣୁପୁର ଆସନରେ ବିଜେପିରୁ ଶିଶିର ଗମାଙ୍ଗ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ବିଜୟୀ କରାଇବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି ମାଆ ହେମା ଗମାଙ୍ଗ । ହେମା ପୂର୍ବରୁ କୋରାପୁଟ ଆସନରୁ ସାଂସଦ ରହିଥିବା ବେଳେ ସ୍ୱାମୀ ଗିରିଧର ଗମାଙ୍ଗ ଏହି ଆସନରୁ ଲଗାତାର ବିଜୟୀ ହୋଇ ଆସିଛନ୍ତି । ତେଣୁ ଏଠାରେ ହେମାଙ୍କ ପରିବାରର କିଛି ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଯାହାକୁ ପୁଞ୍ଜି କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପୁଅ ଶିଶିର । ତେବେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ କରି ପାଦ ଥାପିଥିବା ଶିଶିରଙ୍କୁ ଏବେ ସାହା ମାଆ ହେମା ।

ରାଜ୍ୟ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ସଫଳତାକୁ ସୁତ୍ର କରି ପୁଅ ପାଇଁ ଭୋଟ ମାଗୁଛନ୍ତି ମାଆ ହେମା । ଅଧ ରାତି ପର୍ଯ୍ୟନ୍ତ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ହେମା । ପୁଅକୁ ବିଜୟୀ ଟୀକା ପିନ୍ଧାଇବା ପାଇଁ ଦିନ ରାତି ଏକ କରି ଜୋରଦାର ପ୍ରଚାର ଚଳାଇଛନ୍ତି ହେମା ।ଏସବୁ ଭିତରେ ବାପା ଓ ମାଆ ପ୍ରଚାର ମୈଦାନକୁ ଓହ୍ଲାଇବା ପୁଅ ଓ ଝିଅଙ୍କ ପାଇଁ କେତେ ଫାଇଦା ଦେବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ସ୍ୱଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର