ଦିଲ୍ଲୀରେ କସରତ, କଂଗ୍ରେସକୁ ଫେରିବେ ହେମା!

ବିଧାୟକ ତାରା, କୈଳାସଙ୍କ ବିରୋଧ

ରାୟଗଡା/ନୂଆଦିଲ୍ଲୀ: ପୂର୍ବତନ ସାଂସଦ ହେମା ଗମାଙ୍ଗ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବେ। ଏଥିପାଇଁ ସେ ଦିଲ୍ଲୀରେ ଡେରା ପକାଇଛନ୍ତି। ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ସେ ନିଜର ପ୍ରତ୍ୟାବର୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଥିବାରୁ ସେ ତାଙ୍କ ସହିତ ଆଲୋଚନା କରିପାରିନଥିବା ଜଣାପଡ଼ିଛି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ହେମା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ଟିକେଟରୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ। ୫ ବର୍ଷର ବ୍ୟବଧାନ ପରେ ହେମା ପୁଣି କଂଗ୍ରେସକୁ ଫେରିବାକୁ ପୁଣିଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ସେ କଂଗ୍ରେସରେ ଯୋଗଦେବାକୁ ଚାହୁଁଛନ୍ତି। ତେବେ, ଦଳ ତାଙ୍କୁ ଗ୍ରହଣ କରିବ କି ନାହିଁ ତାହା ଦଳୀୟ ନେତୃତ୍ବ ଉପରେ ନିର୍ଭର କରୁଛି। କଂଗ୍ରେସରେ ଯୋଗଦାନ କରି କୋରାପୁଟ ଲୋକସଭା ଆସନରୁ ଲଢ଼ିବେ କି ବୋଲି ପ୍ରଶ୍ନ କରିବାରେ ଏହା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ହେମା । ଅନ୍ୟପକ୍ଷରେ, ହେମାଙ୍କ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ଉଦ୍ୟମକୁ ଦଳ ମଧ୍ୟରେ ବିରୋଧ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ, ହେମା ଦଳକୁ ଫେରିଲେ ପ୍ଲସ୍ ନୁହଁ ବରଂ ମାଇନସ ହେବ। ଗତ ୨୦୧୪ରେ ହେମା ଦଳକୁ ଧୋକା ଦେଇଛନ୍ତି। କଂଗ୍ରେସର ଖରାପ ସମୟରେ ସେ ଦଳ ଛାଡି ଚାଲିଯାଇଥିଲେ। ଦଳ ଛାଡି ଯିବା ପରେ କଂଗ୍ରେସ କୋରାପୁଟ ଜିଲ୍ଲାରେ ଅଧିକ ଭଲ ପ୍ରଦର୍ଶନ କରିଛି।‌ ସେହିଭଳି, ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା ବି ହେମାଙ୍କ ଯୋଗଦନକୁ ଖୋଲାଖୋଲି ବିରୋଧ କରିଛନ୍ତି। ଶ୍ରୀ କୁଲେସିକା କହିଛନ୍ତି ଯେ, ନିର୍ବାଚନ ଆସିଲେ‌ ହେମା ଦଳବଦଳ କରିବାରେ ଓସ୍ତାଦ। ଦଳକୁ ଫେରିବା ପାଇଁ ସେ ଯେଉଁ ପ୍ରୟାସ କରୁଛନ୍ତି, ସେଥିରେ ସଫଳ ହେବେନି। ପ୍ରକାଶଥାଉକି, ଗତ ନିର୍ବାଚନରେ ଶ୍ରୀ କୁଲେସିକାଙ୍କଠାରୁ ହେମା ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର